ରାଇରଙ୍ଗପୁର ୦୭।୧୨: ବେପରୁଆ ଗାଡି ଚାଳନା ଯୋଗୁଁ ଚାଲିଗଲା ଦୁଇଜଣଙ୍କ ଜୀବନ। ଏପରି ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଝଲଡୁଙ୍ଗୁରି ଛକ ନିକଟରେ। ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ ।
ଖବର ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ତିନିଜଣ ଯୁବକ ଯଶିପୁର ପଟକୁ କେଉଁଆଡେ ଯାଉଥିଲେ । ହଠାତ୍ ବାଇକରେ ଯାଉଥିବା ଯୁବକମାନେ ଦୁର୍ଘଟଣାର ଶିକାର ହୋଇଥିଲେ । ଦୁର୍ଘଟଣା ପରେ ଘଟଣାସ୍ଥଳରେ ହିଁ ୨ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟଜଣଙ୍କୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଦୁର୍ଘଟଣା ଭାରସାମ୍ୟ ହରାଇ ହୋଇଛି, କି ଅନ୍ୟ ଗାଡି ସହିତ ଧକ୍କା ହୋଇ ଦୁର୍ଘଟଣା ହୋଇଛି । ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଅନ୍ୟପଟେ ମଦ୍ୟପାନ କରି ଗାଡ଼ି ଚଳାଇବା ଯୋଗୁଁ ଦୁର୍ଘଟଣା ହୋଇଥିବା ପୋଲିସ ସନ୍ଦେହ କରୁଛି । ତେବେ ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ । ସେମାନେ ମଦ୍ୟପାନ କରିଛନ୍ତି କି ନାହିଁ ତାହା ସ୍ପଷ୍ଟ ହେବ । ବର୍ତ୍ତମାନ ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିନଥିବା ବେଳେ, ଉଭୟ ଯଶୀପୁର ଅଞ୍ଚଳର ବୋଲି ଜଣାପଡିଛି । ପୋଲିସ ଘଟଣାର ଛାନ୍ଭିନ୍ ଆରମ୍ଭ କରିଛି ।