ଦୁଇ ରୁଷ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାରୁ ଉଠିବ କି ପରଦା ? ଛାନ୍ଭିନ୍ କରୁଛି କ୍ରାଇମ୍ବ୍ରାଞ୍ଚ
29/12/2022 at 11:23 AM

କଟକ ୨୯।୧୨ : ଦୁଇ ରୁଷ ପର୍ଯ୍ୟଟକଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରୁ ଉଠିବ କି ପରଦା ? ୬୧ ବର୍ଷୀୟ ଭ୍ଲାଦିମିର ବିଦାନୋଭଙ୍କ କେମିତି ମୃତ୍ୟୁ ହେଲା ? ଏହାର ଦୁଇ ଦିନ ପରେ କେଉଁ ପରିସ୍ଥିତିରେ ୬୫ ବର୍ଷୀୟ ରୁଷ ସାଂସଦ ଆଣ୍ଟୋଭ ପାଭେଲଙ୍କ ମୃତ୍ୟୁ ହେଲା ? ଦୁଇ ଋଷୀୟ ପର୍ଯ୍ୟଟକଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାକୁ ନେଇ ଛାନଭିନ୍ କରୁଛି ୫ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍।
ତେବେ ଏହା ଏକ ଅନ୍ତର୍ଜାତୀୟ ପ୍ରସଙ୍ଗ ହୋଇଥିବାରୁ ତଦନ୍ତର ସବୁ ଦିଗକୁ ଧ୍ୟାନ ଦିଆଯିବ ବୋଲି କ୍ରାଇମବ୍ରାଞ୍ଚ ସୂଚନା ଦେଇଛି । ଘଟଣାର ଖିଅ ଖୋଜି ବାହାର କରିବା ଲାଗି ଅନ୍ୟ ଦୁଇ ରୁଷୀୟ ପର୍ଯ୍ୟଟକ ଓ ତାଙ୍କ ଗାଇଡ୍ କୁ ଜେରା କରୁଛି । ସେପଟେ ରୁଷର ସାଂସଦଙ୍କ ଭିସେରା ସଂରକ୍ଷଣ କରାନଯିବା ଏବଂ ମୃତଦେହକୁ ପୋଡ଼ି ଦିଆଯିବାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି ।
ରୁଷର ଜଣେ ପ୍ରଭାବଶାଳୀ ରାଜନେତା ତଥା ଧନୀ ବ୍ୟକ୍ତିଙ୍କ ସଂଦେହ ଜନକ ମୃତ୍ୟୁ ହୋଇଥିଲେ ବି ତାଙ୍କ ଭିସେରା ସଂରକ୍ଷଣ କରାଗଲା ନାହିଁ କାହିଁକି ? ସେ ଜଣେ ଖ୍ରୀଷ୍ଟିଆନ୍ ଧର୍ମାବଲମ୍ବୀ ହୋଇଥିବା ବେଳେ ତାଙ୍କ ମୃତଦେହ ପୋଡାଗଲା କେମିତି ? ତାଙ୍କୁ କବର ଦିଆଗଲା ନାହିଁ କାହିଁକି ? ରାୟଗଡା ପୋଲିସ କିଭଳି ଏମିତି ଖାମଖିଆଲି ମନୋଭାବ ଆପଣେଇଲା ? ଏପରି କରିବାକୁ କିଏ ନିର୍ଦ୍ଦେଶ ଦେଇଥିଲା ? ଏହି ଘଟଣା ଏବେ ରହସ୍ୟ ଘେରରେ ରହିଛି ।