କୁନୋ ଜାତୀୟ ଉଦ୍ୟାନରେ ଆଖିବୁଜିଲେ ଆଉ ୨ ଚିତା ଶାବକ, ୩ ଦିନରେ ଗଲାଣି ତିନି ଜୀବନ

Published By : Prameya-News7 Bureau | May 25, 2023 IST

ନୂଆଦିଲ୍ଲୀ, ୨୫/୦୫: କୁନୋ ଜାତୀୟ ଉଦ୍ୟାନରେ ପୁଣି ଆଉ ଦୁଇ ଚିତା ଶାବକଙ୍କ ମୃତ୍ୟୁ। ଗୁରୁବାର ମାଈ ଚିତା ଜ୍ବାଲାର ଆଉ ଦୁଇ ଶାବକ ପ୍ରାଣ ହରାଇଛନ୍ତି। ଏହା ସହ ଚିତା ଜ୍ବାଲାର ଚାରି ଶାବକଙ୍କ ମଧ୍ୟରୁ ତିନି ଶାବକଙ୍କ ମୃତ୍ୟୁ ହୋଇଛି। ଏବେବି ଗୋଟିଏ ଶାବକର ସ୍ବାସ୍ଥ୍ୟାବସ୍ଥା ଖରାପ ରହିଛି ଏବଂ ତାଙ୍କୁ ନିରୀକ୍ଷଣରେ ରଖାଯାଇଛି। ଏହାପୂର୍ବରୁ ମଙ୍ଗଳବାର ମାଈ ଚିତା ଜ୍ବାଲାର ଗୋଟିଏ ଶାବକର ମୃତ୍ୟୁ ହୋଇଥିଲା।

ସୂଚନାଥାଉକି, ଗତ ମାସ ଅର୍ଥାତ୍‌ ମାର୍ଚ୍ଚ ୨୪ ତାରିଖରେ ମାଈ ଚିତା ଜ୍ବାଲା ୪ ଶାବକଙ୍କୁ  ଜନ୍ମ ଦେଇଥିଲା। ଶାବକଙ୍କୁ ଏନକ୍ଲୋଜର ଭିତରେ ରଖାଯାଇ ସେମାନଙ୍କର ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଥିଲା। କିନ୍ତୁ ମଙ୍ଗଳବାର ସକାଳେ ଗୋଟିଏ ଶାବକର ମୃତ୍ୟୁ ହୋଇଥିବାବେଳେ ଆଜି ଗୁରୁବାର ଆଉ ଦୁଇ ଶାବକଙ୍କ ମୃତ୍ୟୁ ହୋଇଛି ଯାହାକୁ ନେଇ ଚିନ୍ତା ବଢ଼ିଛି।

ସୂଚନାଥାଉକି , ପ୍ରଥମେ ମାର୍ଚ୍ଚରେ ମାଈ ଚିତା ସାସାର ମୃତ୍ୟୁ ହୋଇଥିଲା। ଏହାପରେ ଏପ୍ରିଲରେ ଉଦୟ ନାମକ ଚିତା ଆଉ ଏହା ପରେ ପୁଣି ମାଈ ଚିତା ଦକ୍ଷାର ମୃତ୍ୟୁ ହୋଇଥିଲା। ତେବେ ଲଗାତାର କୁନୋରେ ହେଉଥିବା ଚିତାଙ୍କ ମୃତ୍ୟୁକୁ ନେଇ ପୁଣି ତରେ ଚିତା ପ୍ରୋଜେକ୍ଟ ଉପରେ ପ୍ରଶ୍ନ ଉଠିଛି। ତିନି ଚିତା ଆଉ ତିନି ଶାବକଙ୍କ ମୃତ୍ୟୁ ପରେ କୁନୋରେ ଏବେ ଚିତା ସଂଖ୍ୟା ୨୪ରୁ ୧୮ ହୋଇଛି।  ଯେଉଁଥିରେ ୧୭ ମାଈ-ଅଣ୍ଡିରା ଚିତା ଏବଂ ୧ ଶାବକ ରହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.