ବେଙ୍ଗାଲୁରୁ ୧୬|୧: କର୍ଣ୍ଣାଟକ ରାଜନୀତିରେ ଏବେ ଘଡ଼ିକେ ଘୋଡ଼ା ଛୁଟୁଛି। କର୍ଣ୍ଣାଟକରେ ଜେଡିଏସ୍-କଂଗ୍ରେସ ମିଳିତ ସରକାରକୁ ଭାଙ୍ଗି ସେଠାରେ ବିଜେପି ସରକାର ଗଠନ ପାଇଁ ବିଜେପି ପକ୍ଷରୁ ଜୋରଦାର ପ୍ରୟାସ ଆରମ୍ଭ ହୋଇଯାଇଛି। ଜେଡିଏସ୍ - କଂଗ୍ରେସର ବିଧାୟକମାନଙ୍କୁ ନିଜ ପକ୍ଷକୁ ନେବା ପାଇଁ ବିଜେପି କଂଗ୍ରେସ ବିଧାୟକମାନଙ୍କୁ ମୁମ୍ବାଇ ଓ ଜେଡିଏସ୍ ବିଧାୟକମାନଙ୍କୁ ନୂଆଦିଲ୍ଲୀ ନେଇଯିବା ସହ ସେମାନଙ୍କ ସହ ଘୋଡ଼ା ବେପାର ପାଇଁ ମୂଲଚାଲ ଚଲାଇଥିବା ଚର୍ଚ୍ଚା ହେଉଛି । ଏଣେ ମିଳିତ ସରକାରରୁ ନିଜର ସମର୍ଥନ ପ୍ରତ୍ୟାହାର କରି ନେଇଛନ୍ତି କର୍ଣ୍ଣାଟକ ଦୁଇ ସ୍ୱାଧୀନ ବିଧାୟକ। ମିଳିତ ସରକାରରୁ ସମର୍ଥନ ପ୍ରତ୍ୟାହାର କରିଥିବା ଏହି ଦୁଇ ସ୍ୱାଧୀନ ବିଧାୟକ ହେଲେ ଏଚ୍ ନଗେସ୍ ଓ ଆର୍ ଶଙ୍କର।
ତେବେ, ଦୁଇ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ପ୍ରତ୍ୟାହାର ଜେଡିଏସ୍ - କଂଗ୍ରେସ ମିଳିତ ସରକାର ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି କଂଗ୍ରେସ ଦାବି କରିଛି। ବିଜେପି ତା’ର ୧୦୪ ଜଣ ବିଧାୟକଙ୍କୁ ନେଇ ଗୁରୁଗ୍ରାମରେ ରଖିଥିବା ବେଳେ କଂଗ୍ରେସର କିଛି ବିଧାୟକଙ୍କ ପତ୍ତା ମିଳୁନି। ଏମାନେ ବିଜେପି ସହ ଯୋଗାଯୋଗରେ ଥିବା ଚର୍ଚ୍ଚା ହେଉଛି। ସେହିପରି ବିଜେପି, ଜେଡିଏସ୍ ର କିଛି ବିଧାୟକଙ୍କୁ ବିପୁଳ ଟଙ୍କା ଓ ମନ୍ତ୍ରୀ ପଦର ପ୍ରଲୋଭନ ଦେଖାଉଥିବା ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଅଭିଯୋଗ କରିଛନ୍ତି। ତେବେ ରାଜ୍ୟ ବିଜେପି ମୁଖିଆ ୟେଦ୍ୟୁରପ୍ପା ଏସବୁ ଅଭିଯୋଗକୁ ଖଣ୍ଡନ କରିବା ସହ କୁମାରସ୍ୱାମୀ ବିଜେପି ବିଧାୟକଙ୍କୁ ପ୍ରଲୋଭିତ କରୁଥିବା ପାଲଟା ଅଭିଯୋଗ କରିଛନ୍ତି।