ବିମାନରେ ମଦ ପିଇ ଗିରଫ ହେଲେ ଦୁଇ ଯାତ୍ରୀ, କ୍ରୁ ମେମ୍ବରଙ୍କୁ ହଇରାଣ କରିଥିବା ସୂଚନା
9/01/2023 at 11:13 AM

ନୂଆଦିଲ୍ଲୀ: ବିମାନ ଯାତ୍ରାଭଳି ଗୋଟେ ଅତି ସମ୍ବେଦନଶୀଳ ଯାତ୍ରାରେ ଏବେ ପ୍ରତିଦିନ ବିଶୃଙ୍ଖଳାର ଖବର ଶୁଣିବାକୁ ମିଳୁଛି। ନିକଟରେ ଏୟାର ଇଣ୍ଡିଆ ବିମାନରେ ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା ଘଟଣା ଚର୍ଚ୍ଚାରେ ଥିବା ବେଳେ ଏବେ ଇଣ୍ଡିଗୋରେ ଦୁଇ ମଦ୍ୟପଙ୍କ ମାର୍ପିଟ୍ ଖବର ସାମ୍ନାକୁ ଆସିଛି। ଦୁଇ ଜଣଙ୍କୁ ଗିରଫ କରାଯାଇଛି।
ଦିଲ୍ଲୀରୁ ପାଟନା ଯାଉଥିବା ଇଣ୍ଡିଗୋ ଫ୍ଲାଇଟ୍ 6E-6383 ବିମାନରେ ଏଭଳି ଦୁର୍ଘଟଣା ଦେଖିବାକୁ ମିଳିଛି। ଏୟାରପୋର୍ଟ ଏସ୍ଏଚ୍ଓ ରବର୍ଟ ପିଟରଙ୍କ ସୂଚନା ଅନୁସାରେ, ଦୁଇ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କୁ କୋର୍ଟ ଚାଲାଣ କରାଯିବ। ଏହି ଦୁଇ ଜଣ ମଦ ପିଇ ଫ୍ଲାଇଟ୍ର କେବିନ କ୍ରୁ ମେମ୍ବର ସହଙ୍କ ସହ ଝଗଡ଼ା କରିଥିଲେ। ବିମାନରେ ବିଶୃଙ୍ଖଳା ସୃଷ୍ଟି କରିଥିଲେ। ସୋମବାର ସକାଳ ୮.୪୪ ମିନିଟ୍ରେ ଏହି ଦୁର୍ଘଟଣା ଘଟିଥିଲା।
ବିମାନରେ ମଦ ପିଇଲା ବେଳେ କ୍ୟାବିନ୍ କ୍ରୁ ମେମ୍ବର ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଏହାପରେ ଦୁଇ ଜଣ ଯାତ୍ରୀ କ୍ରୁ ମେମ୍ବରଙ୍କ ସହ ତର୍କ କରିଥିଲେ ବୋଲି ସୂଚନା ମିଳିଛି। ତେବେ ବିମାନ ଏୟାରପୋର୍ଟରେ ପହଞ୍ଚିବା ପରେ କ୍ରୁ ମେମ୍ବର ଘଟଣା ବିଷୟରେ ସୁରକ୍ଷାକର୍ମଙ୍କୁ ସୂଚନା ଦେଇଥିଲେ। ପରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି।