ଦୁଇ ହଜାର ଟଙ୍କିଆ ନୋଟ୍ ବ୍ୟାଙ୍କରେ ଡିପୋଜିଟ୍ କରୁଥିଲେ ମାଓ ନେତା, ମାଡ଼ି ବସିଲା ପୁଲିସ
26/05/2023 at 10:05 PM

ମାଲକାନଗିରି: ୬ ଲକ୍ଷ ଟଙ୍କାର ୨ ହଜାର ଟଙ୍କିଆ ନୋଟ୍ ଆଣି ବ୍ୟାଙ୍କରେ ଡିପୋଜିଟ୍ କରୁଥିବା ବେଳେ ମାଓବାଦୀଙ୍କୁ ଧରିଲା ପୁଲିସ। ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଏଭଳି ଘଟଣା ଦେଖିବାକୁ ମିଳିଛି।
ମିଳିଥିବା ସୂଚନା ଅନୁସାରେ, ଦୁଇ ଜଣ ମାଓବାଦୀ ସାଧାରଣ ବ୍ୟକ୍ତିଙ୍କ ବେଶରେ ୬ ଲକ୍ଷ ଟଙ୍କାର ଦୁଇ ହଜାର ଟଙ୍କିଆ ନୋଟ ବିଡା ଧରି ବ୍ୟାଙ୍କ ଆସିଥିଲେ। ୧୧ ଜଣଙ୍କ ଏକାଉଣ୍ଟରେ ସମସ୍ତ ଟଙ୍କା ଡିପୋଜିଟ କରିବାକୁ ବ୍ୟାଙ୍କରଙ୍କୁ କହିଥିଲେ। ବ୍ୟାଙ୍କରେ ପଇସା ଡିପୋଜିଟ କରିବା ସମୟରେ ସେମାନଙ୍କୁ ଗିରଫ କରିଛି ପୁଲିସ।
ମାଓ ନେତା ଦୁଇ ଜଣ ଟଙ୍କା ଡିପୋଜିଟ୍ କରିବା ନେଇ ଗୁଇନ୍ଦା ସୂଚନା ମିଳିଥିଲା। ଏହାପରେ ବିଜାପୁର ଏସପିଙ୍କ ନେତୃତ୍ୱରେ ଡିଆରଜିର ଜବାନ ବ୍ୟାଙ୍କରେ ଚଢ଼ାଉ କରି ଦୁଇ ମାଓନେତାଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି।
ସେମାନଙ୍କ ଠାରୁ ୬ ଲକ୍ଷ ଟଙ୍କା ଓ ୧୧ ବ୍ୟାଙ୍କ ପାସବୁକ ଜବତ କରି ପଚରାଉଚରା ଜାରି ରହିଛି। ମାଓ ସଙ୍ଘଠନର ଅନ୍ୟ ମାଓବାଦୀଙ୍କ ଉପରେ ମଧ୍ୟ ଛତିଶଗଡ଼ ବିଜାପୁର ପୋଲିସର ନଜର ରହିଛି ବୋଲି ବିଜାପୁର ଏସପି କହିଛନ୍ତି।