ଚଳନ୍ତା ବାଇକରେ ମହିଳାଙ୍କ ବେକରୁ ସୁନାଚେନ୍ ଓ କାନଫୁଲ ଝାମ୍ପି ନେଲେ ଲୁଟେରା : ପଲସର ସହ ଧରାପଡ଼ିଲା ଜଣେ ଦୁର୍ବୃତ୍ତ, ସ୍ଥାନୀୟ ଲୋକେ ନିସ୍ତୁକ ମାଡ଼ମାରି ଦେଲେ ପୋଲିସର ଜିମା- ଦେଖନ୍ତୁ ପୁରା ଭିଡ଼ିଓ

Published By : Prameya-News7 Bureau | October 31, 2018 IST

ଭୁବନେଶ୍ୱର ୩୧/୧୦: ଭୁବନେଶ୍ୱର ଖଣ୍ଡଗିରି ଥାନା ଅନ୍ତର୍ଗତ ତମାଣ୍ଡ ନିକଟରେ ଜଣେ ବାଇକ ପଛରେ ବସି ଯାଉଥିବା ଜଣେ ମହିଳାଙ୍କ ବେକରୁ ସୁନା ହାର ଓ କାନଫୁଲ ଝାମ୍ପି ନେଇଯାଇଛନ୍ତି ଦୁର୍ବୃତ୍ତ । ଆଜି ସନ୍ଧ୍ୟା ୭ଟା ବେଳକୁ ଗାଡ଼କଣରୁ ଅରିସଳ ଯାଉଥିବା ଏହି ମହିଳାଙ୍କୁ ଦୁଇଜଣ ଯୁବକ ଏକ ପଲସର୍ ମଟରସାଇକଲରେ ପିଛା କରିଥିଲେ । ଖଣ୍ଡଗିରି ଛକ ପାର୍ ହେବାପରେ ଓ ତମାଣ୍ଡ ଛକ ପୂର୍ବରୁ ଦୁର୍ବୃତ୍ତମାନେ ମହିଳାଙ୍କ ବେକରୁ ସୁନାହାର ଛଡ଼ାଇଥିଲେ । ମଟର ସାଇକେଲରୁ ମହିଳା ତଳେ ପଡ଼ିଯାଇଥିଲେ । ପଲସରରେ ଥିବା ଦୁଇଜଣ ଦୁର୍ବୃତ୍ତ ତାଙ୍କ ବେକରୁ ସୁନାଚେନ ଓ କାନଫୁଲ ଝାମ୍ପି ନେଇଥିଲେ । ମହିଳା କୋଳରେ ତାଙ୍କ ପୁଅକୁ ମଧ୍ୟ ଧରିଥିଲେ । ବାଇକରୁ ଏମାନେ ଗଳିପଡ଼ିଥିଲେ ମଧ୍ୟ ଏମାନଙ୍କର କିଛି କ୍ଷତି ହୋଇନାହିଁ । ତେବେ ମହିଳାଙ୍କ ସୁନାଚେନ ଓ କାନଫୁଲ ନେଇ ପଳାଇବା ପାଇଁ ଉଦ୍ୟମ କରୁଥିବା ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣକୁ ସ୍ଥାନୀୟ ଲୋକେ କାବୁ କରିବା ସହ ପଲସରକୁ ଜବତ କରିବାରେ ସକ୍ଷମ ହୋଇଥିଲେ । ଜବତ ହୋଇଥିବା ପଲସରର ନମ୍ୱର ହେଉଛି OR-25B-1197 , ଧରାପଡ଼ିଥିବା ଦୁର୍ବୃତ୍ତକୁ ସ୍ଥାନୀୟ ଲୋକେ ନିସ୍ତୁକ ମାଡ଼ ମାରିବା ସହ ପୋଲିସର ଜିମା ଦେଇଛନ୍ତି । ଧରାପଡ଼ିଥିବା ଦୁର୍ବୃତ୍ତର ଘର ବାଙ୍କିରେ ବୋଲି ସେ କହିଛି । ଅପରପକ୍ଷରେ ଫେରାର ହୋଇଯାଇଥିବା ଦୁର୍ବୃତ୍ତ ପାଖରେ ମହିଳାଙ୍କ ସୁନାଚେନ ଓ କାନଫୁଲ ଥିବାରୁ ତାହା ଉଦ୍ଧାର କରାଯାଇ ପାରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.