ଚାଲାଣ ବେଳେ ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ; ଚାରି ଅଭିଯୁକ୍ତ ଗିରଫ, ବୋଲେରୋ ଓ ଟ୍ରାକ୍ଟର ଜବତ
21/03/2023 at 11:34 PM

ବୌଦ୍ଧ ୨୧/୦୩: ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ। ଦୁଇଶହ କିଲୋ ଗଞ୍ଜେଇ ସହ ବୋଲେରୋ ଏବଂ ଟ୍ରାକ୍ଟର ଜବତ। ଏହି ଅଭିଯୋଗରେ ୪ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ବୌଦ୍ଧ ଜିଲ୍ଲା ତେଲିବନ୍ଧ ପାଖ ହରିପୁର ଛକରେ ଏପରି ଅପରାଧିକ ଘଟଣା ସାମ୍ନାକୁ ଆସିଛି। ଜବତ ଗଞ୍ଜେଇକୁ ଅଭିଯୁକ୍ତମାନେ ଟ୍ରାକ୍ଟର୍ରେ ଆଣି ବୋଲେରୋରେ ଚାଲାଣ କଲା ବେଳେ ପୋଲିସ ଏହି ଯୋଜନାକୁ ପଣ୍ଡ କରିଛି। ଏଥିରେ ବ୍ୟବହୃତ ଦୁଇଟି ମୋଟୋର ସାଇକେଲ୍କୁ ମଧ୍ୟ ପୋଲିସ୍ ଜବତ କରିଛି।

ଖବର ଅନୁସାରେ, ବାହାର ରାଜ୍ୟକୁ ଚାଲାଣ କରିବା ପାଇଁ ଏକ ବୋଲେରୋ ଗାଡିରେ ଗଞ୍ଜେଇକୁ ରଖାଯାଉଥିବା ବେଳେ ପୋଲିସ ଖବର ପାଇ ଚଢ଼ଉ କରିଥିଲା। ତେବେ ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ୨ ଅଭିଯୁକ୍ତ ପୋଲିସ ହାବୁଡ଼ରୁ ଖସିଯାଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ସୋନପୁର ଜିଲା ତରଭା ଅଞ୍ଚଳର ସିଙ୍ଗାରି ଗାଁର ନବୀନ କହଁର, ପୂର୍ଣ୍ଣ ଝାଙ୍କର, ଜୀବନ ରାଉତ ଓ ତପନ ଦେହୁରୀ। ଏନେଇ ପୋଲିସ ଏକ ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।