ଯୁବାବସ୍ଥାରେ ୨ଟା ଯାକ କିଡନୀ ନଷ୍ଟ, ପାନ ଦୋକାନରୁ ଗୁଜୁରାଣ ମେଣ୍ଟାଉଥିବା ରତ୍ନାକରଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ

Published By : Prameya-News7 Bureau | May 28, 2019 IST

କେନ୍ଦ୍ରାପଡା ୨୮|୫: ଯୁବାବସ୍ଥାରେ ୨ଟା ଯାକ କିଡନୀ ନଷ୍ଟ ହୋଇଯାଇଛି । ୨ ବର୍ଷ ହେଲାଣି ଚିକିତ୍ସା ଚାଲିଛି ସତ । ହେଲେ ଦିନକୁ ଦିନ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବାରେ ଲାଗିଛି । ଆମେ କହୁଛୁ କେନ୍ଦ୍ରାପଡ଼ା ଲକ୍ଷ୍ମୀ ନାରାୟଣପୁର ଗାଁର ରତ୍ନାକର ସାହୁଙ୍କ ସଂପର୍କରେ । ପାନ ଦୋକାନରୁ ଗୁଜୁରାଣ ମେଣ୍ଟାଉଥିବା ରତ୍ନାକର ଅଧିକ ଚିକିତ୍ସା ପାଇଁ କେଉଁଠୁ ଆଣିବେ ଅର୍ଥ ।

{"id":116967}

କେନ୍ଦ୍ରାପଡା ଡେରାବିଶ ଲକ୍ଷ୍ମୀ ନାରାୟଣପୁର ଗାଁର ରତ୍ନାକର ସାହୁ । ବୟସ ମାତ୍ର ୩୨ । ଗଁ। ଛକରେ ଛୋଟିଆ ପାନ ଦୋକାନଟିଏ କରି ବାପା ମାଙ୍କୁ ପୋଷୁଥିଲେ । ହାଠାତ୍ ମାଡ଼ିବସିଲା ରୋଗ ।   ହାତଗୋଡ ଫୁଲିଲା ।  ପେଟ ଦରଜ ହେବା ସହ  ପରିସ୍ରା କମ୍ ହେଲା । ଡାକ୍ତରଙ୍କୁ ଦେଖାଇବା ସହ ବିଭିନ୍ନ ପରୀକ୍ଷା ନିରୀକ୍ଷା କରିବାରୁ ଜଣା ପଡିଲା ଯେ  ରତ୍ନାକରଙ୍କର ଦୁଇଟି ଯାକ କିଡନୀ ନଷ୍ଟ ହୋଇଯାଇଛି । ପ୍ରାୟ ୨ ବର୍ଷ ହେଲାଣି ରୋଗ କଲବଲ କରୁଛି । ଔଷଧ ବାବଦକୁ ମାସିକ ୭ ରୁ ୮ ହଜାର ଟଙ୍କା ଖର୍ଚ୍ଚ ହେଉଛି । ଅନ୍ୟପକ୍ଷରେ  ଅସୁସ୍ଥତା ହେତୁ ଦୋକାନ ପ୍ରାୟ ସମୟ ବନ୍ଦ ରହୁଛି ।  ବାପା କାର୍ତିକେଶ୍ବର ଜଣେ ଚାଷୀ ।  ତେଣୁ ଚିକିତ୍ସାରେ ଅର୍ଥ ବାଧକ ସାଜିଛି ।

{"id":116970}

ରତ୍ନାକର ନିଜର ଚିକତ୍ସା ପାଇଁ କଟକ ଭୁବନେଶ୍ବରର ବିଭିନ୍ନ ସରକାରୀ ଓ ବେସରକାରୀ ହସପିଟାଲକୁ ଦୌଡ଼ିଛନ୍ତି ।  ଦୁଇଟି ଯାକ କିଡନୀ ପ୍ରତ୍ୟାରୋପଣ ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି । ହେଲେ ଏଥିପାଇଁ ୫ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେବା ନେଇ ଆଶଙ୍କା କରୁଛନ୍ତି ରତ୍ନାକରଙ୍କ ବାପା-ମା।

{"id":116972}

ଅନ୍ୟପକ୍ଷରେ ରତ୍ନାକରଙ୍କୁ ତାଙ୍କ ମା ସଂଯୁକ୍ତା ନିଜର ଗୋଟିଏ କିଡନୀ ଦାନ କରିବା ପାଇଁ ପ୍ରସ୍ତୁତ ।  ଅନ୍ୟ ଏକ କିଡନୀ ସଂଗ୍ରହ କରିବା ଏବେ କାଠିକର ପାଠ ବୋଲି କହିଛନ୍ତି ପରିବାର ଲୋକେ । ତେବେ ସରକାରୀ ଅଥବା କୌଣସି ବେସରକାରୀ ଅନୁଷ୍ଠାନ ପକ୍ଷରୁ ଆର୍ଥିକ ସହାୟତା ମିଳିଲେ  ପୁଅର ଚିକିତ୍ସା ହୋଇ ପାରିବ ବୋଲି ରତ୍ନାକରଙ୍କ ମା କୋହଭରା କଣ୍ଠରେ କହିଛନ୍ତି ।

{"id":116971}

ରତ୍ନାକରଙ୍କ କିଡନୀ ପ୍ରତ୍ୟାରୋପଣରେ ବିଳମ୍ବ ହେଲେ ତାଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ଥିବା ଡାକ୍ତର ସ୍ପଷ୍ଟ କରିଦେଇଛନ୍ତି । ତେଣୁ ଏବେ ଅନ୍ୟର ସହାୟତା ହିଁ ରତ୍ନାକରଙ୍କ ଜୀବନ ବଂଚାଇବାର ଏକମାତ୍ର ଉପାୟ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.