କୁଖ୍ୟାତ ହାତୀ ଶିକାରୀ ବାବୁଲି ମହାଳିକର ଦୁଇ ସହଯୋଗୀ ଗିରଫ
21/02/2020 at 7:48 AM

ଆଠଗଡ ୨୧।୨: କୁଖ୍ୟାତ ହାତୀ ଶିକାରୀ ବାବୁଲି ମହାଳିକର ଦୁଇ ସହଯୋଗୀଙ୍କୁ ଗିରଫ କରିଛି ଆଠଗଡ଼ ବନବିଭାଗ । ଦନ୍ତା ହାତୀକୁ ମାରିବାକୁ ଯୋଜନା କରୁଥିବା ବେଳେ ଆଠଗଡ଼ ଓ ବଡ଼ମ୍ବା ବନବିଭାଗ କର୍ମଚାରୀ ମିଳିତ ଭାବେ ଚଢ଼ାଉ କରି ଏହି ଦୁଇ ଜଣଙ୍କୁ କାବୁ କରିବାରେ ସକ୍ଷମ ହୋଇଛନ୍ତି ।

ଅପରାଧୀମାନେ ହେଲେ ବଡ଼ମ୍ବା ଖୁଣ୍ଟକଟା ପଞ୍ଚାୟତର କଜଳବେଢା ଗ୍ରାମର ମନୋଜ ବେହେରା ଓ ବାଞ୍ଝବେରେଣା ଗ୍ରାମର ଗୌରାଙ୍ଗ ଦେହୁରୀ । ଏମାନଙ୍କ ନିକଟରୁ ଦେଶୀ ବନ୍ଧୁକ, ଗନ୍ ପାଉଡର, ଗୁଳି ଓ ଛୁରୀ ପ୍ରଭୃତି ଜବତ କରାଯାଇଛି । ଗିରଫ ଅଭିଯୁକ୍ତମାନେ ପୂର୍ବରୁ ଗିରଫ କୁଖ୍ୟାତ ହାତୀ ଶିକାରୀ ବାବୁଲି ମହାଳିକର ସହଯୋଗୀ ଏବଂ ପୂର୍ବରୁ ଏମାନେ ଅନେକ ଶିକାରରେ ସମ୍ପୃକ୍ତ ବୋଲି ସୂଚନା ଦେଇଛି ଆଠଗଡ଼ ବନବିଭାଗ ।

ଏମାନଙ୍କୁ ଆଠଗଡ଼ ବନଖଣ୍ଡର କରଡ଼ା ସଂରକ୍ଷିତ ଜଙ୍ଗଲରୁ ଗିରଫ କରାଯାଇଥିବା ବେଳେ ଅଧିକ ତଦନ୍ତ ପାଇଁ ବାବୁଲିକୁ ରିମାଣ୍ଡର ଆଣି ଗିରଫ ଦୁଇ ସହଯୋଗୀଙ୍କୁ ସାମ୍ନା ସାମ୍ନି ଜେରା କରାଯିବ ବୋଲି ସୂଚନା ଦେଇଛନ୍ତି ଆଠଗଡ଼ ଡିଏଫଓ।