ବଜ୍ରକାପ୍ତା କାତି ସହ ୪ ଦେଶୀ ବନ୍ଧୁକ ଜବତ, ଦୁଇ ଶିକାରୀ ଗିରଫ
25/05/2023 at 10:23 AM

ଉଦଳା ୨୫।୫: ଶିମିଳିପାଳରେ ଶିକାରୀ ଗୁଳିରେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ ଘଟଣା ପରେ ଚେତିଛି ବନ ବିଭାଗ । ବିଭିନ୍ନ ସ୍ଥାନରେ ବନ ବିଭାଗ ପକ୍ଷରୁ ଚଢ଼ାଉ ଆରମ୍ଭ ହୋଇଥିବା ବେଳେ ସାମ୍ନାକୁ ଆସିଛି ଶିମିଳିପାଳରେ ଚାଲିଥିବା ଶିକାରର ସାଙ୍ଘାତିକ ସତ ।

କିଛି ଦିନ ପୂର୍ବେ ବଜ୍ରକାପ୍ତା ଖୋଳପା ବିକ୍ରି ନିମନ୍ତେ ଡ଼ିଲ୍ ଚାଲିଥିବା ବେଳେ କପ୍ତିପଦା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଗୁରୁବାର ପୁଣି ବନ ବିଭାଗ ଚଢ଼ାଉ କରି ବଜ୍ରକାପ୍ତା କାତି ସହିତ ୪ଟି ଗୁଳି ଭର୍ତ୍ତି ଦେଶୀ ବନ୍ଧୁକ ଜବତ କରିଛି । ଏହାସହ ୨ ଜଣ ଶିକାରୀଙ୍କୁ ଗିରଫ କରିଛି ।

ବନ ବିଭାଗ ଗୁରୁବାର କପ୍ତିପଦା ରେଞ୍ଜ ବଡ଼ଖମଣ ଅଞ୍ଚଳରେ ଚଢ଼ାଉ କରିଥିବା ବେଳେ ୨ ଜଣଙ୍କ ଘରୁ ୪ଟି ଦେଶୀ ବନ୍ଧୁକ, ୭ କିଲୋ ବଜ୍ରକାପ୍ତା କାତି, ଜଙ୍ଗଲୀ ମାଂସ, ଫାଶ, ବନ୍ୟଜନ୍ତୁର ଲାଞ୍ଜ ଜବତ କରିଛି । ଗିରଫ ଶିକାରୀ ହେଲେ ମଙ୍ଗଲ ସିଂ ଏବଂ ଗାନସା ହୋ । ଗିରଫ ଶିକାରୀଙ୍କୁ ବନ ବିଭାଗ କାର୍ଯ୍ୟାଳୟରେ ଅଧିକ ପଚରାଉଚରା ଜାରି ରଖିଛି ।