ଟ୍ରାଙ୍କୁଲାଇଜ୍ ବେଳେ ଅଘଟଣ : ଅସୁସ୍ଥ ଦନ୍ତା ଆକ୍ରମଣରେ ୨ ବନ କର୍ମଚାରୀ ଗୁରୁତର
7/03/2023 at 7:06 PM

ନୀଳଗିରି ୦୭/୦୩: ଅସୁସ୍ଥ ଦନ୍ତା ହାତୀ ଆକ୍ରମଣରେ ଦୁଇ ବନ କର୍ମଚାରୀ ଗୁରୁତର। ହାତୀକୁ ଚିକିତ୍ସା ପାଇଁ ଟ୍ରାଙ୍କୁଲାଇଜ୍ କଲାବେଳେ ଏପରି ଅଘଟଣ ଘଟିଛି। ଫଳରେ ୨ ମହିଳା ବନ କର୍ମଚାରୀ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡ କୁଲଡିହା ଅଭୟାରଣ୍ୟରେ ଏହା ଦେଖିବାକୁ ମିଳିଛି। ଗୁରୁତର ବନ କର୍ମଚାରୀଙ୍କ ପରିଚୟ ପଞ୍ଚଲିଙ୍ଗେଶ୍ୱର ବିଟ୍ ଫରେଷ୍ଟର ଭାଗ୍ୟଶ୍ରୀ ଦ୍ୱିବେଦୀ ଓ ଫରେଷ୍ଟ ଗାର୍ଡ ଶଶିକଳା ସାହୁ।
ଖବର ଅନୁସାରେ, ପଞ୍ଚଲିଙ୍ଗେଶ୍ଵର ବିଟ୍ ପାଖ ବଡମ୍ବା ଠାକୁରାଣୀ ଜଙ୍ଗଲ ଭିତରେ କିଛି ଦିନ ତଳେ ୪ ବର୍ଷର ମାଈ ହାତୀର ମୃତ୍ୟୁ ହେବା ସହ ଅନ୍ୟ ଏକ ଦନ୍ତା ଅସୁସ୍ଥ ଭାବେ ବୁଲିଥିଲା। ସେଥିପାଇଁ ବନ କର୍ମଚାରୀ ମଙ୍ଗଳବାର ସେହି ଦନ୍ତାକୁ ଟ୍ରାଙ୍କୁଲାଇଜ କରି ଚିକିତ୍ସା ପାଇଁ ଉଦ୍ୟମ କରୁଥିଲେ। ସେହି ସମୟରେ ହଠାତ ଦନ୍ତାଟି ଆକ୍ରମଣ କରିଥିଲା।
ଫଳରେ ପଞ୍ଚଲିଙ୍ଗେଶ୍ୱର ବିଟ୍ ଫରେଷ୍ଟର ଭାଗ୍ୟଶ୍ରୀ ଦ୍ୱିବେଦୀ ଓ ଗାର୍ଡ ଶଶିକଳା ସାହୁ ଗୁରୁତର ହୋଇଛନ୍ତି। ପରେ ତାଙ୍କୁ ତୁରନ୍ତ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗାର୍ଡ ଶଶିକାଳାଙ୍କ ଛାତିରେ ଗଭୀର ଆଘାତ ଲାଗିବା ସହତାଙ୍କ ହାତ ଭାଙ୍ଗି ଯାଇଛି। ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଏବେ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।