ଅନୁଗୋଳ ୨୫|୧୦: ସୁନ୍ଦରୀ ଭୟରେ ଆତଙ୍କିତ ସାତକୋଶିଆ ଅଭୟାରଣ୍ୟବାସୀ। ଟ୍ରାଙ୍କୁଲାଇଜ ନହେବା ପର୍ଯ୍ୟନ୍ତ ସବୁ ସମୟରେ ବାଘୁଣୀର ଭୟ ରହୁଛି । ବିଶେଷଜ୍ଞ ଦଳକୁ ନୟାନ୍ତ କଲାଣି ସୁନ୍ଦରୀ । ଟ୍ରାଙ୍କୁଲାଇଜର ଟିମ୍ ହାତରେ ଧରାପଡୁନାହିଁ ବାଘୁଣୀ ସୁନ୍ଦରୀ। ବନ ବିଭାଗ କର୍ମଚାରୀଙ୍କୁ ଆଖିରୁ ନିଦ ହଜାଇଦେଲାଣି । ଏବେ ସୁନ୍ଦରୀକୁ କାବୁ କରିବାକୁ ମଧ୍ୟପ୍ରଦେଶରୁ ଦୁଇଟି ଏକ୍ସପର୍ଟ ଟିମ୍ ଆସିବେ ବୋଲି ଜଣାପଡିଛି ।
ମଧ୍ୟପ୍ରଦେଶର କାହ୍ନା ଓ ପେଞ୍ଚ ଟାଇଗର ରିଜର୍ଭ ଫରେଷ୍ଟରରୁ ଆସିବେ ଦୁଇଟି ଏକ୍ସପର୍ଟ ଟିମ୍ । ଦୁଇ ଦିନ ଭିତରେ ଏହି ଟିମ୍ ଅନୁଗୋଳରେ ପହଞ୍ଚିବେ। ବାଘୁଣୀର ସ୍ବଭାବ ଠିକ୍ ନଥିବାରୁ ତାକୁ ଟ୍ରାଙ୍କୁଲାଇଜ କରିବାକୁ ମଧ୍ୟପ୍ରଦେଶ ବିଶେଷଜ୍ଞଙ୍କ ସହାୟତା ନିଆଯାଇଛି । ଏଥିପାଇଁ ଆଖପାଖ ଲୋକଙ୍କୁ ସହଯୋଗ କରିବାକୁ ଆରସିସିଏଫ ଅନୁରୋଧ କରିଛନ୍ତି।
ଆଜି ଦିନ ୩ଟା ୩୦ ବେଳକୁ ବାଘୁଣୀ କୁମୁରୀ ଓ ବାଘମୁଣ୍ଡାଠୁ ଦେଢ କିଲୋମିଟର ଦୂରରେ ରହିଥିଲା ବୋଲି ସୂଚନା ଦେଇଛନ୍ତି ଟ୍ରାଙ୍କୁଲାଇଜର ଟିମ୍ । ସକାଳ ୫ଟାରୁ ୪ଜଣ ଡାକ୍ତରଙ୍କୁ ନେଇ ଗଠିତ ବିଶେଷଜ୍ଞ ଦଳ ସୁନ୍ଦରୀର ଗତିବିଧି ଉପରେ ନଜର ରହିଛନ୍ତି। ପରଫେକ୍ଟ ପୋଜିସନକୁ ବାଘୁଣୀ ଆସୁନଥିବାରୁ ବାଘୁଣୀକୁ ଟ୍ରାଙ୍କୁଲାଇଜ କରିବା ସମ୍ଭବ ହେଉନି ବୋଲି ଏସିଏଫ୍ କହିଛନ୍ତି । ଜନବସିତିଠାରୁ ଦୂରରେ ଥିବା ଲୋକଙ୍କୁ ପୁରା ସତର୍କତା ଅବଲମ୍ବନ କରିବାକୁ ବନବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ସ୍ଥାନୀୟ ଅଞ୍ଚଳରେ ଏକ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି। ଆଜି ରାତି ବି ଆଲର୍ଟ ରହିବେ ଟ୍ରାଙ୍କୁଲାଇଜର ଟିମ୍ । ଜଙ୍ଗଲକୁ ଯାଇ ଡାର୍ଟିଂ କରିବେ। ଗତକାଲି ସବୁ ଚେଷ୍ଟା ସତ୍ତ୍ବେ ଧରାପଡିନଥିଲା ସୁନ୍ଦରୀ।
ସନ୍ଧ୍ୟାରେ କିମ୍ବା ବଡି ଭୋରରେ ଚାଷକ୍ଷେତକୁ ନଯିବା ଲାଗି ଗ୍ରାମବାସୀଙ୍କୁ ପରାମର୍ଶ ଦିଆଯାଇଛି। ତେବେ ବାଘୁଣୀ ଭୟରେ ସମସ୍ୟାରେ ପଡିଛନ୍ତି ଚାଷୀ। ରାତିରେ ମଞ୍ଚାରେ ଜଗି ପାରୁନାହାଁନ୍ତି ଫସଲ। ଏହାର ଫାଇଦା ନେଉଛନ୍ତି ବାରହା, ହରିଣ, କୁଟରା, ମାଙ୍କଡ। ଏକର ଏକର ଧାନ ଫସଲ ବାରହା ଖାଇଗଲେଣି । କନ୍ଦମୂଳ ଚାଷ କରିଥିବା ଚାଷୀ ମୁଣ୍ଡରେ ହାତ ଦେଇ ବସିଲେଣି ।