ଧରାପଡିଲେ ଦୁଇ ନକଲି ମାଟ୍ରିକ୍ ପରୀକ୍ଷାର୍ଥୀ, ଦୁଇ ଛାତ୍ରୀଙ୍କ ପାଇଁ ଦେଉଥିଲେ ପରୀକ୍ଷା
26/02/2020 at 4:24 PM

ନୟାଗଡ ୨୬।୨: ନୟାଗଡରେ ଦୁଇ ନକଲି ମାଟ୍ରିକ୍ ପରୀକ୍ଷାର୍ଥୀ ଅଟକ । ନୟାଗଡ ଜିଲ୍ଲା ଶିକ୍ଷା ଅଧିକାରୀ ତାଙ୍କୁ ଅଟକ ରଖିଛନ୍ତି । ନୟାଗଡ ଜିଲ୍ଲା କୁଳାସର ଜନତା ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଆଜି ମାଟ୍ରିକ ପରୀକ୍ଷାର ତୃତୀୟ ଦିନରେ ଗଣିତ ପରୀକ୍ଷା ଚାଲିଥିବା ବେଳେ ଦୁଇ ଜଣ ଧରାପଡିଛନ୍ତି ।

ଦୁଇ ଛାତ୍ରୀଙ୍କ ପାଇଁ ପରୀକ୍ଷା ଦେଉଥିବା ନକଲି ପରୀକ୍ଷାର୍ଥୀଙ୍କୁ ସୁପରିଟେଣ୍ଡେଣ୍ଟ ଧରିଥିଲେ । ରଣପୁର ବ୍ଲକ୍ ତାଳକଣି ପଞ୍ଚାନନ ଉଚ୍ଚ ବିଦ୍ୟାଳୟର ଦୁଇ ପରୀକ୍ଷାର୍ଥୀଙ୍କ ବଦଳରେ ସେହି ଗାଁର ଯୁକ୍ତ ଦୁଇ ପଢୁଥିବା ଦୁଇ ଛାତ୍ରୀ ପରୀକ୍ଷା ଦେଉଥିବା ସୂଚନା ମିଳିଛି ।

ପରୀକ୍ଷା କେନ୍ଦ୍ରରେ ରଣପୁର ଥାନା ଅଧିକାରୀ, ରଣପୁର ବ୍ଲକ୍ ଶିକ୍ଷା ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି । ତେବେ ଉକ୍ତ ପରୀକ୍ଷା କେନ୍ଦ୍ରରେ ୧୪ ଜଣ ପରୀକ୍ଷାର୍ଥୀଙ୍କୁ ଏକ୍ସଫେଲ୍ ମଧ୍ୟ କରାଯାଇଛି । ସେମାନେ ସମସ୍ତେ ତାଳକଣି ପଞ୍ଚାନନ ହାଇସ୍କୁଲର ଛାତ୍ରଛାତ୍ରୀ ।