ଦୁଇ ଥର ପରୀକ୍ଷାରେ ୨ଟି ଭିନ୍ନ ରିପୋର୍ଟ, ରୋଗୀଙ୍କୁ ମିଳୁନି ସଠିକ୍‌ ତଥ୍ୟ, ସ୍ବାସ୍ଥ୍ୟ ବିଭାଗ ଉପରେ ଉଠିଲା ପ୍ରଶ୍ନ

Published By : Prameya-News7 Bureau | December 04, 2021 IST


ଦାରିଙ୍ଗବାଡ଼ି ୦୪/୧୨: ଗୋଟିଏ ରୋଗ ପାଇଁ ଦୁଇ ଦୁଇ ଥର ପରୀକ୍ଷା ହେଉଛି କିନ୍ତୁ କେଉଁ ରିପୋର୍ଟ ଠିକ କେଉଁଟା ଭୁଲ ରୋଗୀ ସନ୍ଦେହରେ ପଡ଼ୁଛନ୍ତି । ଦ୍ଵନ୍ଦ୍ବରେ ପକାଇ ରୋଗୀଙ୍କ ମନବଳ ଦୁର୍ବଳ କରାଯାଉଥିବା ଅଭିଯୋଗ ହୋଇଛି । କେବଳ ସେତିକି ନୁହେଁ ସୁସ୍ଥ ଲୋକଙ୍କୁ ବି ରୋଗୀ ବନେଇ ଦେଉଛନ୍ତି । ଆଉ ନିରୋଗୀକୁ ରୋଗୀ ବନେଇ ଦେଉଥିବା ଅଭିଯୋଗ ବାରମ୍ବାର ମଧ୍ୟ ଆସୁଛି । ଅନଭିଜ୍ଞ କର୍ମଚାରୀଙ୍କୁ ପରୀକ୍ଷାଗାର ଦାୟିତ୍ୱ ଦେବାରୁ ରୋଗୀଙ୍କୁ ଭୁଲ ତଥ୍ୟ ପ୍ରଦାନ କରୁଛନ୍ତି କର୍ମଚାରୀ । ଦାରିଙ୍ଗବାଡ଼ି ଅଞ୍ଚଳ ରେ ରହିଥିବା ମେଡିକାଲ ଗୁଡ଼ିକରେ ଦେଖିବାକୁ ମିଳିଛି କିଛି ଏଭଳି ଅବ୍ୟବସ୍ଥା । ସିମନବାଡ଼ି ଗ୍ରାମର ତରଣୀ ସାହୁ ଦେହ ଅସୁସ୍ଥ ଥିବା କାରଣରୁ ସିମନବାଡ଼ି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଜର ହିମୋଗ୍ଲୋବିନ ପରୀକ୍ଷା କରାଇଥିଲେ ।

{"id":554458,"sizeSlug":"full","linkDestination":"none"}

ଏହା ପରେ ହିମୋଗ୍ଲୋବିନ ୯.୬ ଜିଏମ ଶତକଡ଼ା ଥିବା ନେଇ ରିପୋର୍ଟ ଦେଇଥିଲେ ପରୀକ୍ଷା ଦାୟିତ୍ୱରେ ଥିବା କର୍ମଚାରୀ । ହେଲେ ଉକ୍ତ ରିପୋର୍ଟ ଦେଖି ଏତେ ମାତ୍ରାରେ କିଭଳି ହିମୋଗ୍ଲୋବିନ କମିଲା ବୋଲି ତରଣୀ ଚିନ୍ତାଗ୍ରସ୍ତ ହେବା ସହ ହିମୋଗ୍ଲୋବିନ କିଭଳି ବୃଦ୍ଧି ପାଇବ ସେନେଇ ଚିନ୍ତା କରିଥିଲେ । କିନ୍ତୁ କିଛି ସମୟ ପରେ ଉକ୍ତ ରିପୋର୍ଟ ଉପରେ ସନ୍ଦେହ ହେବାରୁ ସେ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ନିଜର ହିମୋଗ୍ଲୋବିନ ଟେଷ୍ଟ କରାଇଥିଲେ । ଟେଷ୍ଟ କରିବା ପରେ ଦାୟିତ୍ୱରେ ଥିବା କର୍ମଚାରୀ ପରୀକ୍ଷା ରିପୋର୍ଟ ପ୍ରଦାନ କରିଥିଲେ । ରିପୋର୍ଟରେ ୧୪.୬ ଜିଏମ ଶତକଡ଼ା ହିମୋଗ୍ଲୋବିନ ଥିବା ଜଣାପଡ଼ିଥିଲା। ଦୁଇଟି ସରକାରୀ ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅଲଗା ଅଲଗା ଆସିବା ପରେ ତରଣୀ ଦ୍ଵନ୍ଦ୍ବରେ ପଡିଲେ ଯେ କେଉଁ ରିପୋର୍ଟ ଠିକ ଆଉ କେଉଁ ରିପୋର୍ଟ ଭୁଲ ।

ଏଭଳି ଭାବେ ଦୁଇ ଦୁଇଟି ରିପୋର୍ଟ ରୋଗୀଙ୍କ ପାଇଁ ଚିନ୍ତାଜନକ ବୋଲି ଲୋକେ ଅଭିଯୋଗ କରିଛନ୍ତି । କର୍ମଚାରୀଙ୍କ ଏଭଳି ମନମାନୀ ହେଉ ଅବା ଅଭିଜ୍ଞ କର୍ମଚାରୀଙ୍କ ଅଭାବରୁ ବହୁ ରୋଗୀଙ୍କ ଜୀବନ ମଧ୍ୟ ଚାଲିଯାଉଥିବା ବିଗତ ଦିନ ମାନଙ୍କରେ ଅଭିଯୋଗ ହେବା ସହ ମେଡିକାଲରେ ଅପ୍ରୀତିକର ପରିସ୍ଥିତ ମଧ୍ୟ ସୃଷ୍ଟି ହୋଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ରାଜଶ୍ରୀ ପଟ୍ଟନାୟକଙ୍କୁ ପଚାରିବାରୁ ସେ କେଉଁ ରିପୋର୍ଟ ଭୁଲ ଆଉ କେଉଁ ରିପୋର୍ଟ ଠିକ ବୋଲି କହି ହେବନାହିଁ ବୋଲି କହିବା ସହ ଫୁଲବାଣୀ ମେଡିକାଲକୁ ଆସି ପୁଣି ଟେଷ୍ଟ କରିବା ପାଇଁ କହିଥିଲେ । ଏଭଳି ଭାବରେ ଲୋକ ନିଜର ରୋଗ ବିଷୟରେ ଜାଣିବା ପାଇଁ କେତେଥର ଟେଷ୍ଟ କଲେ ପ୍ରକୃତ ତଥ୍ୟ ପାଇବେ ବୋଲି ଅଞ୍ଚଳବାସୀ ସ୍ୱାସ୍ଥ୍ୟ ବିଭାଗକୁ ପ୍ରଶ୍ନ କରିବା ସହ ମନମାନୀ କରୁଥିବା କର୍ମଚାରୀଙ୍କ ଉପରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.