ପଦ୍ମଫୁଲ ତୋଳିବାକୁ ଯାଇ ଫେରିଲେନି, ନାଳ ଏବଂ ପୋଖରୀରୁ ମିଳିଲା ଦୁଇ ମୃତଦେହ

Published By : Prameya-News7 Bureau | October 01, 2022 IST

ଗୋଷାଣୀ: ଜୀବିକା ନେଲା ଜୀବନ। ପଦ୍ମଫୁଲ ସଂଗ୍ରହ କରିବାକୁ ଯାଇ ଆଉ ଫେରିଲେନି ଘରକୁ। ନାଳରୁ ଜଣଙ୍କ  ମୃତଦେହ  ମିଳିଥିବା ବେଳେ ପୋଖରୀରେ ଜଣଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅନ୍ତର୍ଗତ ଏସ ଲକ୍ଷ୍ମୀପୁରରେ ଏଭଳି ଘଟଣା ଘଟିଛି। ମୃତକ ଦୁଇ ଜଣ ହେଲେ ଟି. ତ୍ରିନାଥ (୬୦) ଏବଂ ସାରଥୀ ପ୍ରଧାନ (୪୫)।  ଏହି ଘଟଣାରେ ଗୁରାଣ୍ଡି ଥାନା ପୋଲିସ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି। ଦୁଇ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ବୋଲି ଗୁରାଣ୍ଡି ଥାନା ଅଧିକାରୀ ରବିନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ଶନିବାର ସନ୍ଧ୍ୟାରେ ପଦ୍ମଫୁଲ ସଂଗ୍ରହ ପାଇଁ  ଟି. ତ୍ରିନାଥ , ସାରଥୀ ପ୍ରଧାନ ଗାଁ ନିକଟରେ ଥିବା ନାଳ ନିକଟକୁ ଯାଇଥିଲେ ହେଲେ ଦୀର୍ଘ ସମୟ ଯାଏଁ  ଦୁହେଁ ଦୀର୍ଘ ସମୟ ଘରକୁ ଫେରିନଥିଲେ। ପରିବାର ଲୋକେ ଖୋଜାଖୋଜି କରିବା ସମୟରେ ଜଣଙ୍କ ମୃତଦେହ ନାଳ ରେ ପଡ଼ିଥିବା ବେଳେ ଅନ୍ୟ ଜଣଙ୍କ ମୃତଦେହ ପୋଖରୀରେ ଭାସୁଥିବା ଦେଖିବାକୁ ପାଇଥିଲେ। ଏ ନେଇ ପରିବାର ଲୋକେ ପୋଲିସ କୁ ଜଣାଇବା ପରେ ଗୁରାଣ୍ଡି ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଦୁଇଟି ଯାକ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଘଟଣାକୁ ନେଇ ଦୁଇଟି ଅପମୃତ୍ୟୁ ମାମଲା (୧୧ ଏବଂ ୧୨/୨୨) ରୁଜୁ କରି ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ରବିନ୍ଦ୍ର ପାତ୍ର କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.