ପରିବାର ସମେତ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି, ଜାଣନ୍ତୁ ଦୁଇଦିନିଆ ଗସ୍ତର କାର୍ଯ୍ୟସୂଚୀ...

Published By : Prameya-News7 Bureau | February 24, 2020 IST

ଅହମ୍ମଦାବାଦ ୨୪।୦୨:  ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ।  ଡୋଲାଲ୍ଡ ଟ୍ରମ୍ପଙ୍କ ସହ ପତ୍ନୀ ମେଲାନିଆ, ଝିଅ ଇଭାଙ୍କା ଓ ଜ୍ୱାଇଁ ଜାରେଡ କୁଶନେର ମଧ୍ୟ ଭାରତ ଆସୁଛନ୍ତି। ଡୋଲାଲ୍ଡ ଟ୍ରମ୍ପଙ୍କର ଭାରତରେ ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ସେ ଅହମ୍ମଦାବାଦ,ଆଗ୍ରା ଏବଂ ଦିଲ୍ଲୀ ଗସ୍ତ କରିବେ।

ଆମେରିକାର ରାଷ୍ଟ୍ରପତି ଟ୍ରମ୍ପଙ୍କ ସୁରକ୍ଷା ପାଇଁ ୩୦ ଜଣ ଗୁଇନ୍ଦା ଅଧିକାରୀ ଦିଲ୍ଲୀରେ ପହଞ୍ଚି ସାରିଛନ୍ତି। ଏହି ଗୁଇନ୍ଦା ଅଧିକାରୀମାନେ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି। ଆମେରିକାର ଗୁଇନ୍ଦା ସୁରକ୍ଷା ଅଧିକାରୀ ଟ୍ରମ୍ପ ରାତ୍ରୀଯାପନ କରିବାକୁ ସ୍ଥିର ହୋଇଥିବା ଦିଲ୍ଲୀର ମୌର୍ଯ୍ୟ ହୋଟେଲ ରୋଡରେ ଉଚ୍ଚକ୍ଷମତା ସମ୍ପନ୍ନ ଏବଂ ନାଇଟ୍ ଭିଜନ ସିସିଟିଭି ଲଗାଇବା ପାଇଁ ନିର୍ଦେଶ ଦେଇଛନ୍ତି। ଏହା ସହ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦୁଇ ଦିନିଆ ଗସ୍ତର କାର୍ଯ୍ୟସୂଚୀ ଜାରି କରାଯାଇଛି।  ସେହିପରି ଉଭୟ ଗୁଜରାଟ ଓ ଦିଲ୍ଲୀ ଗସ୍ତ କାଳରେ ଟ୍ରମ୍ପଙ୍କୁ ଦ୍ବିସ୍ତରୀୟ ସୁରକ୍ଷା ଯୋଗାଇଦିଆଯିବ । ପ୍ରଥମ ସ୍ତର ଆମେରିକାର ସିକ୍ରେଟ ଏଜେଣ୍ଟ ହାତରେ ରହିଥିବା ବେଳେ ଦ୍ବିତୀୟସ୍ତର ଦିଲ୍ଲୀ ଏବଂ ଗୁଜରାଟ ପୋଲିସ ସହ ସିବିଆଇ, ର ସମେତ ପାରାମିଲିଟାରୀ ଫୋର୍ସ ଏବଂ ଏସିପିଜି ଓ ଏନଏସଜି ଅଧିକାରୀ ରହିବେ ।

ତେବେ ଆସନ୍ତୁ ଜାଣିବା  ଟ୍ରମ୍ପଙ୍କ କାର୍ଯ୍ୟସୂଚି ଉପରେ -  ସୋମବାର ସକାଳ ୧୧ଟା ୪୦ରେ ଅହମ୍ମଦାବାଦରେ ଅବତରଣ କରିବ ଟ୍ରମ୍ପଙ୍କ ବିମାନ ।୧୨ଟା ୧୫- ଡୋନାଲ୍ଡ ଟ୍ରମ୍ପ ସାବରମତି ଆଶ୍ରମ ପରିଦର୍ଶନ । ଅପରାହ୍ନ,୧.୦୫-ମୋଟାରା ଷ୍ଟାଡିୟମରେ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମ ।  ଅପରାହ୍ନ ,୩.୩୦ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଗ୍ରା ଅଭିମୁଖେ ଯାତ୍ରା ଆରମ୍ଭ କରିବେ। ସନ୍ଧ୍ୟା,୪.୪୫- ଡୋନାଲ୍ଡ ଟ୍ରମ୍ପ ଆଗ୍ରାରେ ପହଞ୍ଚିବେ। ସନ୍ଧ୍ୟା,୫.୧୫- ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ପତ୍ନୀ ମେଲାନିଆ ଟ୍ରମ୍ପଙ୍କ ସହ ତାଜମହଲ ପରିଦର୍ଶନ। ସନ୍ଧ୍ୟା,୬.୪୫-ଡୋନାଲ୍ଡ ଟ୍ରମ୍ପ ଏବଂ ପତ୍ନୀ ମେଲାନିଆ ଟ୍ରମ୍ପ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ସନ୍ଧ୍ୟା,୭.୩୦- ଡୋନାଲ୍ଡ ଟ୍ରମ୍ପ ଏବଂ ପତ୍ନୀ ମେଲାନିଆ ଟ୍ରମ୍ପ ଦିଲ୍ଲୀରେ ପହଞ୍ଚିବେ ।

ଆସନ୍ତାକାଲିର କାର୍ଯ୍ୟକ୍ରମ । ସକାଳ,୧୦ ଟାରେ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ଭବନ ପକ୍ଷରୁ ପାରମ୍ପରିକ ଭାବେ ସ୍ବାଗତ କରାଯିବ । ସକାଳ,୧୦.୩୦- ଡୋନାଲ୍ଡ ଟ୍ରମ୍ପ ରାଜଘାଟ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ସମାଧି ସ୍ଥଳରେ ମାଲ୍ୟାର୍ପଣ କରିବେ । ସକାଳ,୧୧.୦୦-ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ଅପରାହ୍ନ,୧୨.୪୦-ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହାଇଦ୍ରାବାଦ ହାଉସରେ ବୁଝାମଣାପତ୍ର ସ୍ବାକ୍ଷରିତ କରିବା ସହ ଗଣମାଧ୍ୟମକୁ ମିଳିତ ବିବୃତ୍ତି ପ୍ରଦାନ କରିବେ। ସନ୍ଧ୍ୟା,୭.୩୦-ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା । ରାତି ୧୦.୦୦- ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.