ବନ୍ୟା ବିତ୍ପାତ, କେନ୍ଦ୍ରାପଡାରେ ଦୁଇ ଦିନ ସ୍କୁଲ ଛୁଟି

Published By : Prameya-News7 Bureau | August 16, 2022 IST

ଭୁବନେଶ୍ଵର: ରାଜ୍ୟରେ ବନ୍ୟା ସ୍ଥିତି ଜଟିଳ ହେବାରେ ଲାଗିଛି। ସ୍ଥିତି ଉପରେ ନଜର ରଖିବାକୁ ରାଜ୍ୟ ସରକାର ଜିଲ୍ଲାପାଳମାନଙ୍କୁ କହିଛନ୍ତି। ଆବଶ୍ୟକ ପଡିଲେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ମହାନଦୀରେ ବନ୍ୟାସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡାରେ ଦୁଇ ଦିନ ସ୍କୁଲ ଛୁଟି ଘୋଷଣା କରାଯାଇଛି।ବନ୍ୟାକୁ  ଦୃଷ୍ଟିରେ ରଖି କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ଅଧିକାର ଏମିତି ପଦକ୍ଷେପ ନେଇଛନ୍ତି।

ବନ୍ୟାକୁ ଦୃଷ୍ଟିରେ ରଖି ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ଜିଲ୍ଲାର ତିନୋଟି ବ୍ଲକରେ ସମସ୍ତ ବିଦ୍ୟାଳୟକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ।ଆଜି ଅପରାହ୍ନରେ କେବଳ ଗୋଟିଏ ବ୍ଲକ ଗରଦପୁର ଶିକ୍ଷା ସର୍କଲ ଅଧୀନରେ ଥିବା ସମସ୍ତ ବିଦ୍ୟାଳୟ ଗୁଡିକୁ ବ୍ଲକ ଶିକ୍ଷାଧିକାରୀ ଛୁଟି ଘୋଷଣା କରିଥିବା ବେଳେ ସନ୍ଧ୍ୟାରେ ଜିଲ୍ଲାର ଗରଦପୁର,ମାର୍ଶାଘାଇ ଓ ମହାକାଳପଡ଼ା ବ୍ଲକର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକୁ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ବନ୍ଦ ଘୋଷଣା କରିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ। ବିଦ୍ୟାଳୟକୁ ଛାତ୍ରଛାତ୍ରୀ ମାନଙ୍କ ଆସିବା ବାରଣ ଥିବା ବେଳେ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଉଦ୍ଧାର କାର୍ଯ୍ୟ, ଜରୁରୀକାଳୀନ କାର୍ଯ୍ୟ ସମେତ ରିଲିଫ ବଣ୍ଟନ ପାଇଁ ଶିକ୍ଷକ ଶିକ୍ଷୟତ୍ରୀ ମାନେ ବିଦ୍ୟାଳୟରେ ଉପସ୍ଥିତ ରହିବେ ବୋଲି ଚିଠିରେ ଦର୍ଶାଯାଇଛି।

ରାଜ୍ୟର ବନ୍ୟା ସ୍ଥିତି ନେଇ ସ୍ୱତନ୍ତ୍ର ରିଲିଫ୍‌ କମିଶନର୍‌ ପ୍ରଦୀପ ଜେନା ପ୍ରେସ୍‌ମିଟ୍‌ କରିଛନ୍ତି । ସେ କହିଛନ୍ତି ବର୍ତ୍ତମାନ ପିକ୍‌ ଫ୍ଲୋ ଚାଲିଛି । ରାତି ୩ଟା ଯାଏଁ ଏହି ପିକ୍‌ ଫ୍ଲୋ ଚାଲିବ । ମୁଣ୍ଡଳିରେ ୮ରୁ ୯ଘଣ୍ଟା ପିକ୍‌ ଫ୍ଲୋ ରହିବା ନେଇ ସେ କହିଛନ୍ତି । କାଲି ସନ୍ଧ୍ୟା ୬ରୁ ୯ଟା ମଧ୍ୟରେ ପିକ୍‌ ଫ୍ଲୋ ସମୁଦ୍ରକୁ ଚାଲିଯିବ ବୋଲି ଏସ୍‌ଆର୍‌ସି କହିଛନ୍ତି । ବନ୍ୟାରେ ରାଜ୍ୟର ପ୍ରାୟ ୨ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ୪୯ଟି ବ୍ଲକ୍‌ର ୨୩୭ଟି ଗାଁ ଜଳଘେରରେ ରହିଛି । ମହାନଦୀର ଦୁଇଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି । ପୁରୀ ଜିଲ୍ଲାର ମକରା ନଦୀ ଓ ରାଜୁଆ ନଦୀରେ ଘାଇ ହୋଇଛି । ୪୯ଟି ବ୍ଲକ୍‌ର ୧୩୬୬ଟି ଗାଁ ପ୍ରଭାବିତ ହୋଇଛି । ବିଭନ୍ନ ସ୍ଥାନରେ ୯୦ଟି ଫ୍ରି କିଚେନ୍‌ ବ୍ୟବସ୍ଥା ହୋଇଛି । ବର୍ତ୍ତମାନ ସୁଦ୍ଧା ୭୦୭ ଘର ନଷ୍ଟ ହୋଇଛି। ଆବଶ୍ୟକତାକୁ ଦେଖି ଜିଲ୍ଲାପାଳମାନେ ପଦକ୍ଷେପ ନେବେ ବୋଲି ଏସ୍‌ଆର୍‌ସି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.