ଭୁବନେଶ୍ୱର ୧୯/୦୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ 5T ସଚିବ ଭି କେ ପାଣ୍ଡିଆନ୍ ଶୁକ୍ରବାର ୩ ଦିନିଆ କଳାହାଣ୍ଡି ଓ ନୂଆପଡ଼ା ଗସ୍ତରେ ଅଛନ୍ତି। ପ୍ରଥମ ଦିନରେ ଉତକେଲା, ମଦନପୁର ଓ ଭବାନୀପାଟଣା ଯାଇ ବିଭିନ୍ନ ବିକାଶ କାମ ବୁଲିଦେଖିବା ସହ ଛାତ୍ରଛାତ୍ରୀ, ମହିଳା, କ୍ରୀଡାବିତ୍ ଓ ସ୍ଥାନୀୟ ଜନସାଧାରଣଙ୍କ ସହ ଆଲୋଚନା କରିଛନ୍ତି। ପ୍ରଥମେ ପାଣ୍ଡିଆନ୍ ଉତକେଲା ବିମାନ ଘାଟିର ବିକାଶ କାମ ଅନୁଧ୍ୟାନ କରିଥିଲେ। କଳାହାଣ୍ଡି କୁ ବିମାନ ଯୋଗାଯୋଗର ବିକାଶ ପାଇଁ ଉତକେଲା ବିମାନ୍ ଘାଟି ରନ୍ୱେର ସମ୍ପ୍ରସାରଣ କାମ ଡିସେମ୍ୱର ୨୩ ସୁଦ୍ଧା ସୁଦ୍ଧା ଶେଷ କରିବାକୁ 5T ସଚିବ ପରାମର୍ଶ ଦେଇଛନ୍ତି।
ପରେ ପାଣ୍ଡିଆନ୍ ବେଲଖଣ୍ଡିର ପ୍ରସିଦ୍ଧ ଉମା ମହେଶ୍ବର ଧବଳେଶ୍ଵର ଶିବ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ। ମନ୍ଦିରର ବିକାଶ ସମ୍ପର୍କରେ ସେବାୟତ ଓ କମିଟି ସଭ୍ୟଙ୍କ ସହ ଆଲୋଚନା କରି ମନ୍ଦିର ବିକାଶ ପାଇଁ ୧୫ ଦିନ ଭିତରେ ଡିଆର୍ପି ପ୍ରସ୍ତୁତି ପାଇଁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ। ମଦନପୁର ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ରୂପାନ୍ତର କାମ 5T ସଚିବ ବୁଲି ଦେଖିବା ସହ ହସ୍ପିଟାଲ କାମ ଆଗାମୀ ଛ ମାସ ମଧ୍ୟରେ ଶେଷ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି ଅବସରରେ ପାଣ୍ଡିଆନ୍ ନିରାମୟ କେନ୍ଦ୍ରରେ ମାଗଣା ଔଷଧ ବଣ୍ଟନ କାମ ଅନୁଧ୍ୟାନ କରିଥିଲେ ।
ତେଲ ନଦୀ ଉପରେ ନିର୍ମାଣ ହେଉଥିବା ସାଣ୍ଡୁଲ୍ ବେରେଜ୍ କାମର ଅଗ୍ରଗତି ପାଣ୍ଡିଆନ୍ ସମୀକ୍ଷା କରିବା ସହ କାମ ଶୀଘ୍ର ଶେଷ କରିବାକୁ ପରାମର୍ଶ ଦେଇଥିଲେ। ୨୦୨୪ ମାର୍ଚ୍ଚ ସୁଦ୍ଧା କାମ ଶେଷ କରିବାକୁ ଲକ୍ଷ୍ୟ ଥିବା ବିଷୟ ବିଭାଗୀୟ କର୍ତ୍ତୁପକ୍ଷ ତାଙ୍କୁ ଜଣାଇଥିଲେ। ଏହି ବେରେଜ୍ କାମ ଶେଷ ହେଲେ ନର୍ଲା, କର୍ଲାମୁଣ୍ଡା ଓ କେସିଙ୍ଗା ବ୍ଲକର ୨୯ ଟି ଗାଆଁର ଚାଷ ଜମିକୁ ଅଣ୍ଡରଗ୍ରାଉଣ୍ଡ ପାଇପ୍ ଦ୍ଵାରା ପାଣି ମିଳିପାରିବ। ଏହି ଅବସରରେ ପାଣ୍ଡିଆନ୍ ନର୍ଲା ଷ୍ଟାଡିୟମ୍ ଓ ମିଶନ ଶକ୍ତି କାଫେ ଯାଇ ଖେଳାଳି ଓ ମିଶନ ଶକ୍ତି ମା ମାନଙ୍କ ସହ ଆଲୋଚନା କରିଥିଲେ। ଭବାନୀପାଟଣାରେ ଫାଇବ୍ ଟି ସଚିବ ପୋଲିସ୍ ହାଇସ୍କୁଲ୍ ଯାଇ ଶିକ୍ଷକ ଓ ପିଲାମାନଙ୍କ ସହ school ରୂପାନ୍ତର ସୁବିଧା ବିଷୟରେ ଆଲୋଚନା କରିଥିଲେ ।
ଏହି ହାଇସ୍କୁଲ୍ ତୃତୀୟ ପର୍ଯ୍ୟାୟ ରୂପାନ୍ତର କାର୍ଯ୍ୟକ୍ରମରେ ସାମିଲ ହୋଇଛି। ପରେ ପାଣ୍ଡିଆନ୍ ଆଶା ସାଗର ବୁଲି ଦେଖିଥିଲେ ଏବଂ ଏହାର ପୁନଃ ଉନ୍ନିତିକରଣ ପାଇଁ ୩୦ ଦିନ ମଧ୍ୟରେ ଡିପିଆର୍ ପ୍ରସ୍ତୁତି ପାଇଁ ପରାମର୍ଶ ଦେଇଥିଲେ। ସେଠାରୁ ଭବାନୀପାଟଣା ବସ୍ ଟର୍ମିନାଲ୍କୁ ଯାଇ କାମର ଅଗ୍ରଗତି ସମୀକ୍ଷା କରି ନିର୍ଦ୍ଧାରିତ ସମୟରେ କାମ ଶେଷ କରିବାକୁ ପରାମର୍ଶ ଦେଇଥିଲେ। ଏହି ଗସ୍ତ ଅବସରରେ ପାଣ୍ଡିଆନ୍ କଳାହାଣ୍ଡି ମେଡ଼ିକାଲ୍ କଲେଜ୍ ଓ କଳାହାଣ୍ଡି ବିଶ୍ୱବିଦ୍ୟାଳୟକୁ ଯାଇ ବୁଲି ଦେଖିଥିଲେ ଓ ଛାତ୍ରଛାତ୍ରୀ ମାନଙ୍କ ସହିତ ବିଭିନ୍ନ ସମସ୍ୟା ଓ ବିକାଶ ବିଷୟରେ ଆଲୋଚନା କରିଥିଲେ।
କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ସ୍ମାର୍ଟ କ୍ଲାସ୍ରୁମ୍, ଇ ଲାଇବ୍ରେରୀ ଓ ଉନ୍ନତ ପରୀକ୍ଷାଗାର ବିକାଶ କରାଯିବ ବୋଲି 5T ସଚିବ ସୂଚନା ଦେଇଥିଲେ। କଳାହାଣ୍ଡି ଟାଉନ ହଲରେ 5T ସଚିବ ମିଶନ ଶକ୍ତି ମହିଳାମାନଙ୍କୁ ଭେଟିଥିଲେ। ଜୁନାଗଡରେ ପ୍ରସିଦ୍ଧ ଲଙ୍କେଶ୍ଵରୀ ମନ୍ଦିରର ବିକାଶ ସମ୍ପର୍କରେ ମନ୍ଦିର କମିଟି ସହ ଆଲୋଚନା କରିଥିଲେ ଓ ଶୀଘ୍ର ପୁନଃ ଉନ୍ନତିକରଣ ପାଇଁ ଡିପିଆର୍ ପ୍ରସ୍ତୁତ କରିବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ। ଜୁନାଗଡ଼ର ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ କାମ ଅଗ୍ରଗତିର 5T ସଚିବ ପାଣ୍ଡିଆନ୍ ସମୀକ୍ଷା ମଧ୍ଯ କରିଥିଲେ।