ବସ୍ ଧକ୍କାରେ ଦୁଇ ପିଲାଙ୍କର ମୃତ୍ୟୁ, ଡ୍ରାଇଭର ଗିରଫ
9/02/2023 at 11:09 AM

କାନାଡ଼ା ୦୯।୦୨ : ବୁଧବାର ଦିନ ମୋଣ୍ଟ୍ରିଆଲର ଡେ କେୟାର ସେଣ୍ଟରରେ ଏକ ସିଟି ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଥିବାବେଳେ 6ଜଣ ଆହତ ହୋଇଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି। ଏହି ଘଟଣାରେ ୫୧ ବର୍ଷୀୟ ଡ୍ରାଇଭରଙ୍କୁ କରାଯାଇଛି ଗିରଫ।
ପୋଲିସ ପ୍ରବକ୍ତା ଏରିକା ଲ୍ୟାଣ୍ଡ୍ରି କହିଛନ୍ତି ଯେ, ଦୁର୍ଘଟମା ସ୍ଥଳରୁ 6 ଜଣ ଶିଶୁଙ୍କୁ ଉଦ୍ଧାର କରି ମେଡିକାଲେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଭଲ ଅଛି। ବିପଜ୍ଜନକ ଗାଡ଼ି ଚାଳନା ପାଇଁ ଡ୍ରାଇଭରଙ୍କୁ ଗିରଫ କରାଯାଇଛି।
କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ କହିଛନ୍ତି ଯେ, ଏହି ଘଟାଣାରେ ମୁଁ ମର୍ମାହତ। ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଶିଶୁଙ୍କ ପରିବାର ଏବେ ଖୁବ୍ କଠିନ ପରିସ୍ଥିତି ଦେଇ ଗତି କରୁଛନ୍ତି। ସେମାନଙ୍କୁ ସମବେଦନା ଜଣାଇବା ସହ ଧର୍ଯ୍ୟ ଧରିବାକୁ କହିଛନ୍ତି।

କ୍ୟୁବେକର ପରିବାର ମନ୍ତ୍ରୀ ସୁଜାନେ ରୟ କହିଛନ୍ତି ଯେ, ଯାହା ଘଟୁଛି ଏଥିପାଇଁ ସମସ୍ତେ ଭୟଭୀତ ହୋଇ ପଡିଛନ୍ତି। ଯେତେବେଳେ ଏମିତି କିଛି ଘଟଣା ଘଟେ, ତାହା ଆମକୁ ଖୁବ୍ ଆଘାତ ଦେଇଥାଏ।
ଏପର୍ଯ୍ୟନ୍ତ ତଦନ୍ତ ଚାଲିଥିବାରୁ ପୋଲିସ ଅଧିକ ବିବରଣୀ ଦେଇନାହିଁ। ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ ଡ୍ରାଇଭର ୧୦ ବର୍ଷ ଧରି ଗମନାଗମନ ବ୍ୟବସ୍ଥାରେ କାମ କରିଛନ୍ତି। ତାଙ୍କର ନାଁରେ କୌଣସି ଅପରାଧିକ ରେକର୍ଡ ନାହିଁ। ଏହି ଘଟଣାଟି ସକାଳ ୮.୩୦ ସମୟରେ ଘଟିଥିଲା। ସେତେବେଳେ ଡେକେୟାର ସେଣ୍ଟରକୁ ବାପା ମା ନିଜ ପିଲାମାନଙ୍କୁ ଛାଡ଼ିବାକୁ ପହଞ୍ଚୁଥିଲେ। ଏହି ସମୟରେ ଘଟିଥିଲା ଦୁର୍ଘଟଣା।