ମରି ବି ଅମର ହୋଇଗଲେ, ଦୁଇ ବ୍ରେନ୍ ଡେଡ୍ ରୋଗୀ ବଞ୍ଚାଇଲେ ୭ଜଣଙ୍କ ଜୀବନ
19/02/2020 at 2:48 PM

ନୂଆଦିଲ୍ଲୀ ୧୯।୨: ରାଜଧାନୀ ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଦୁଇ ରୋଗୀ ୪୮ ଘଣ୍ଟା ଭିତରେ ସାତ ଜଣଙ୍କୁ ନୂଆ ଜୀବନ ଦେଇଛନ୍ତି । ଦୁଇ ଜଣ ବ୍ରେନ୍ ଡେଡ୍ ରୋଗୀଙ୍କ ପରିବାରଲୋକଙ୍କ ଅନୁମତି କ୍ରମେ ସେମାନଙ୍କ ଅଙ୍ଗ ପ୍ରତିରୋପଣ କରାଯାଇ ସାତଜଣଙ୍କ ଜୀବନ ବଞ୍ଚାଯାଇଛି। ଏମାନଙ୍କ ମଧ୍ୟରୁ ଜଣେ୨୬ବର୍ଷ ବୟସ୍କ ୟୁପିର କାସଗଞ୍ଜ ନିବାସୀ ଏବଂ ଅନ୍ୟଜଣେ ୬୧ ବର୍ଷ ବୟସ୍କ ଦିଲ୍ଲୀ ନିବାସୀ । ଏମ୍ସ କର୍ତ୍ତୃପକ୍ଷ ଏନେଇ ମଙ୍ଗଳବାର ଦିନ ସୂଚନା ଦେଇଛନ୍ତି ।
ଏମ୍ସ ହସ୍ପିଟାଲର ଡାକ୍ତର ଦୁଇଟି ଯକୃତ, ଦୁଇଟି ବୃକକ୍ ଏବଂ ଦୁଇଟି ହୃଦୟ ପ୍ରତିରୋପଣ କରିଛନ୍ତି । ଦୁଇଟି ବୃକକ ଆରଏମଏଲ ହସ୍ପିଟାଲକୁ ପଠାଯାଇଥିଲା । ସେଠାରେ ରୋଗୀଙ୍କ ବୃକକ ପ୍ରତିରୋପଣ କରାଯାଇଛି । ଏହା ବ୍ୟତୀତ ଅଙ୍ଗଦାନରେ ମିଳିଥିବା ୪ କର୍ଣ୍ଣିଆ, ୪ଟି ହାର୍ଟ ବଲବ ଏବଂ ହାଡ ଗୁଡିକୁ ସୁରକ୍ଷିତ ଟିସୁ ବ୍ୟାଙ୍କରେ ରଖାଯାଇଛି ।

ଏମ୍ସର ସୂଚନା ଅନୁସାରେ ୟୁପିର ୨୬ବର୍ଷ ବୟସ୍କ ସଚ୍ଚିନ ଦିନ ମଜୁରିଆ ଭାବେ କାମ କରନ୍ତି। ସେ ଫେବୃଆରୀ ୧୩ତାରିଖରେ ଦୁଇ ମହଲା ଛାତରୁ ତଳକୁ ଖସିପଡିଥିଲେ। ତାଙ୍କୁ ଏମ୍ସ ଟ୍ରମା ସେଣ୍ଟର ଭର୍ତ୍ତି କରାଯାଇଥିଲା । ୧୫ ତାରିଖରେ ତାଙ୍କୁ ଡାକ୍ତର ବ୍ରେନ୍ ଡେଡ୍ ଘୋଷଣା କରିଥିଲେ । ଏହାପରେ ଏମ୍ସରେ ଓଆରବିଓର ଅଧିକାରୀ ତାଙ୍କ ପରିବାରଲୋକଙ୍କ ସହ କଥା ହୋଇଥିଲେ। ସେମାନେ ସଚ୍ଚିନଙ୍କ ଅଙ୍ଗଦାନ କରିବା ପାଇଁ ରାଜି ହୋଇଥିଲେ । ଏହାପରେ ହୃଦୟ, ଯକୃତ ଏବଂ ଦୁଇ କର୍ଣ୍ଣିଆ ଦାନ କରିବାର ପ୍ରକ୍ରିୟା ଶେଷ ହୋଇଥିଲା ।
ସେହିପରି ଦିଲ୍ଲୀର ୬୧ ବର୍ଷୀୟ ଅନିଲ ମିତ୍ତଲଙ୍କୁ ଡାକ୍ତର ବ୍ରେନ୍ ଡେଡ୍ ଘୋଷଣା କରିଥିଲେ। ତାଙ୍କର ୪ ଯକୃତ, ବୃକକକୁ ଏମ୍ସ ଏବଂ ରାମ ଲୋହିଆ ମେଡିକାଲରେ ଭର୍ତ୍ତି କରାଯାଇଥିବା ରୋଗୀଙ୍କଠାରେ ପ୍ରତିରୋପଣ କରାଯାଇଥିଲା । ସେହିଭଳି ତାଙ୍କର ୪ଟି ହାର୍ଟ ବଲବ ଏବଂ ଦୁଇଟି କର୍ଣ୍ଣିଆକୁ ସୁରକ୍ଷିତ ରଖାଯାଇଛି ।