ସତୀଗୁଡ଼ା ଡ୍ୟାମ୍ରେ ବୁଡ଼ିଲା ଡଙ୍ଗା; ୨ ମତ୍ସ୍ୟଜୀବୀ ନିଖୋଜ
1/06/2023 at 6:40 PM

ମାଲକାନଗିରି ୦୧/୦୬: ସତୀଗୁଡ଼ା ଡ୍ୟାମ୍ରେ ଡଙ୍ଗା ବୁଡ଼ି ୨ଜଣ ନିଖୋଜ। କାଳବୈଶାଖୀ ପବନ ପ୍ରଭାବରେ ଡଙ୍ଗାବୁଡ଼ି ଯାଇଥିବା ଜଣାପଡ଼ିଛି। ସେମାନଙ୍କୁ ଉଦ୍ଧାର କରିବାକୁ ଘଟଣାସ୍ଥଳରେ ଉଦ୍ୟମ ଆରମ୍ଭ ହୋଇଛି। ମାଛ ଧରିବାକୁ ୨ଟି ଡଙ୍ଗାରେ ଯିବା ବେଳେ ୨ ମତ୍ସ୍ୟଜୀବୀ ନିଖୋଜ ହୋଇଥିବା ଜଣାପଡ଼ିଛି।

ସୂଚନାଥାଉକି, ଗୁରୁବାର ଅପରାହ୍ଣରେ ମାଲକାନଗିରି ଏୟାର୍ ଷ୍ଟ୍ରିପର ନିର୍ମାଣଧୀନ ପାଚେରୀ କାଳବୈଶାଖୀ ଝଡ଼ରେ ଭୁଷୁଡି ପଡିଥିଲା। ପାଚେରୀ ତଳେ ଚାପି ହୋଇ ୫ ଶ୍ରମିକ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ।

ଏହାସହ ମାଲକାନଗିରିର ବିଭିନ୍ନ ସ୍ଥାନରେ ଅନେକ ଗଛ ଭାଙ୍ଗି ଅନେକ ରାସ୍ତା ଅବରୋଧ ହୋଇଛି। ଲୋକଙ୍କ ଚାଳ ଓ ଟିଣ ଛପର ଉଡିଯାଇଛି। ଜିଲ୍ଲା କଂଗ୍ରେସ ଭବନ ମଧ୍ୟ ଏଥିରୁ ବାଦ ପଡିନାହିଁ। ବିଭିନ୍ନ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ବଙ୍କା ହୋଇଯାଇଛି। ୩ ଘଣ୍ଟାରୁ ଅଧିକ ସମୟ ଧରି ମାଲକାନଗିରିରେ ବିଦ୍ୟୁତ ସଂଯୋଗ ବିଛିନ୍ନ ହୋଇଛି। ଦମକଳ ବାହିନୀ ବିଭିନ୍ନ ସ୍ଥାନରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ତହସିଲ କାର୍ଯ୍ୟାଳୟ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯାଇ ଲୋକଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଲି ଅତିରିକ୍ତ ତହସିଲଦାର କହିଛନ୍ତି।