ଦେଢ କୋଟି ଟଙ୍କାର ଗଞ୍ଜେଇ ଜବତ, ଦେଶୀ ବନ୍ଧୁକ ସହ ଦୁଇ ଗିରଫ
30/03/2023 at 4:33 PM

ବୌଦ୍ଧ ୩୦।୩: ବୌଦ୍ଧ ଜିଲ୍ଲା ମନମୁଣ୍ଡା ପୋଲିସ ଦ୍ଵାରା ଦେଢ଼ କୋଟି ଟଙ୍କାର ଗଞ୍ଜେଇ ଜବତ ହୋଇଛି । ୧୫ ଶହ କେଜି ଗଞ୍ଜେଇ ସହ ଦେଶୀ ବନ୍ଧୁକ ଜବତ ହୋଇଛି । ଏହାସହ ୨ ଅଭିଯୁକ୍ତ ଗିରଫ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଶଗଡ଼ ଫାଣ୍ଡି ସେଶକାପଡ଼ା ଜଙ୍ଗଲରେ ବାହାରକୁ ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା ନେଇ ବୌଦ୍ଧ ଏସପି ସୂଚନା ପାଇ ଏକ ଟିମ୍ ଗଠନ କରି ସେଠାରେ ଚଢ଼ାଉ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପୋଲିସ ସେଠାରେ ଚଢ଼ାଉ କରିଥିବା ବେଳେ ସେଠାରୁ ପ୍ରାୟ ୧୫ଶହ କେଜି ଗଞ୍ଜେଇ ଜବତ କରିଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି । ତେବେ ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ ମଧ୍ୟ ଜବତ କରିଛି ପୋଲିସ । ଅଭିଯୁକ୍ତମାନେ ସେହି ଅଞ୍ଚଳର ବରକୁଥିଲି ଗ୍ରାମର ବବି କହଁର ଓ ରୁଗୁଡ଼ି କନପା ଗ୍ରାମର ଦୁଃଶାସନ ସାହୁ ବୋଲି ସୂଚନା ମିଳିଛି । ତେବେ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଛି ।