ଭଦ୍ରକ ୧।୬: ଭଦ୍ରକ ଜିଲ୍ଲାରୁ ବ୍ରାଉନ ସୁଗାର ଜବତ ହେବା ଏକ ନିତିଦିନିଆ ଘଟଣା ହୋଇଗଲାଣି । କେଉଁଠି ପୋଲିସ ଜବତ କରୁଛି ତ ପୁଣି କେଉଁଠି ପୋଲିସ ଆଖିରେ ଧୂଳି ଦେଇ ଲୁଚି ଛପି ବେପାର କରୁଥିବା ଯୁବକଙ୍କୁ କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗ ଧରୁଛି । ମଙ୍ଗଳବାର ଭଦ୍ରକ ସହର ସ୍ଥିତ ବନ୍ତ ଛକଠାରେ ଜଣେ ଯୁବକ ବ୍ରାଉନସୁଗାର ଧରି ଏକ ସ୍ଥାନରେ ଛିଡା ହୋଇଥିବା ବେଳେ ଅବକାରୀ ଗୁଇନ୍ଦାର ସ୍ବତନ୍ତ୍ର ଟିମ୍ ତାଙ୍କୁ କାବୁ କରିଛି । ସମ୍ପୃକ୍ତ ଯୁବକଙ୍କଠାରୁ ୧୪ ଲକ୍ଷ ତାଙ୍କର ବ୍ରାଉନସୁଗାର ଜବତ କରିବା ସହିତ ତାଙ୍କୁ ଗିରଫ କରିଛି ଗୁଇନ୍ଦା ଟିମ୍ । ଗିରଫ ଯୁବକଙ୍କ ନାଣ ଗଣେଶ ପଣ୍ଡା । ତାଙ୍କ ଘର ଭଦ୍ରକ ଗ୍ରାମାଞ୍ଚଳ ଥାନା ଆରଂଜି ଗ୍ରାମରେ ।
ସେହିପରି ସେହି ବନ୍ତ ଛକଠାରେ ଆଉ ଜଣେ ଯୁବକ ୧୪ ପେଟି ଆସ୍କା ଫଟି ନେଇ ଯାଉଥିଲା ବେଳେ ତାଙ୍କୁ ମଧ୍ୟ ଏହି ଅବକାରୀ ଗୁଇନ୍ଦା ଗିରଫ କରିଛି । ଗିରଫ ଯୁବକ ହେଲେ ବାସୁଦେବପୁର ଅଂଚଳର ବୈକୁଣ୍ଠ ଦାସ । ସେ ବେଆଇନ ଭାବେ ଏହି ମଦ କରବାର କରୁଥିଲେ । ତେବେ କଟକ ସ୍ଥିତ ଅବକାରୀ ବିଭାଗର କେନ୍ଦ୍ରୀୟ ଗୁଇନ୍ଦା ଏମାନଙ୍କ ଉପରେ ସ୍ବତନ୍ତ୍ର ନଜର ରଖିଥିଲା । ମଙ୍ଗଳବାର ସେମାନଙ୍କୁ ଗିରଫ କରିଛି ।