ଡକାୟତି ଓ ହତ୍ୟା ମାମଲାରେ ୨ ଅଭିଯୁକ୍ତ ଗିରଫ; ଚୋରି ସାମଗ୍ରୀ ଜବତ

Published By : Prameya-News7 Bureau | November 02, 2022 IST

ଯାଜପୁର ୦୨/୧୧: ଯାଜପୁର ଜିଲ୍ଲା ବରୀ ଥାନା ଚଟୁମାରୀ ଗାଁରେ ହୋଇଥିବା ଡକାୟତି ଓ ହତ୍ୟା ମାମଲାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ପାଖରୁ ପୋଲିସ ଚୋରି ସୁନା ଜବତ କରିଛି। ଏଥିରେ ସମ୍ପୃକ୍ତ ଅନ୍ୟ ୬ ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି। ସୂଚନା ମୁତାବକ, ଚଟୁମାରୀ ଗାଁର ବିଶ୍ୱରଞ୍ଜନ ବିଶ୍ବାଳଙ୍କ ଘରେ ଅକ୍ଟୋବର ୨୬ ବିଳମ୍ବିତ ରାତିରେ ଡକାୟତି ହୋଇଥିଲା।

ଏହି ସମୟରେ ଡ଼କାୟତଙ୍କ ଆକ୍ରମଣରେ ବିଶ୍ୱରଞ୍ଜନଙ୍କ ମୃତ୍ୟୁ ହୋଇଥିଲା। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା। ଯାଜପୁର ଏସପି ରାହୁଲ ପିଆରଙ୍କ ନିର୍ଦ୍ଦେଶରେ ଏକ ଟିମ ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଭଦ୍ରକର ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ଘଟଣାରେ ୮ ଅଭିଯୁକ୍ତ ସାମିଲ ଥିବା ବେଳେ ପୋଲିସ ୨ଜଣଙ୍କୁ ଗିରଫ କରିଛି।

ଅଭିଯୁକ୍ତଙ୍କ ଠାରୁ ଚୋରି ସୁନା ହାର, ଚେନ, କାନ ଫୁଲ, ମୁଦି, ଲକେଟ ସହ ହତ୍ୟାରେ ବ୍ୟବହୃତ ଠେଙ୍ଗା ପୋଲିସ ଜବତ କରିଛି। ଡକାୟତମାନଙ୍କ ଠାରୁ ଚୋରି ସୁନା କିଣିବା ଅଭିଯୋଗରେ ମଧ୍ୟ ଜଣେ ଗିରଫ ହୋଇଛି। ଗିରଫ ଅଭିଯୁକ୍ତମାନେ ପଟ୍ଟାମୁଣ୍ଡାଇ ଓ ଡେରାବିଶ ଥାନା ଅଞ୍ଚଳର ବୋଲି ଜଣାପଡିଛି। ଏଥିରେ ସମ୍ପୃକ୍ତ ଅନ୍ୟ ୬ଜଣ ଶୀଘ୍ର ଗିରଫ ହେବେ ବୋଲି ଯାଜପୁର ଏସ୍ଡ଼ିପିଓ ସରୋଜ ଉପାଧ୍ୟାୟ ଜଣାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.