ଏଲନ ମସ୍କଙ୍କ ନିର୍ଦ୍ଦେଶରେ ଟ୍ୱିଟରରୁ ହଟିଲା ଆତ୍ମହତ୍ୟା ପାଇଁ ୟୁଜରଙ୍କୁ ସତର୍କ କରାଉଥିବା ଫିଚର
24/12/2022 at 3:57 PM

ନୂଆଦିଲ୍ଲୀ: ଟ୍ୱିଟରରୁ ହଟିଲା ଆତ୍ମହତ୍ୟା ସତର୍କତା ଦେଉଥିବା ଫିଚର। ସିଇଓ ଇଲନ ମସ୍କଙ୍କ ନିର୍ଦ୍ଦେଶକ୍ରମେ ଟ୍ୱିଟରରୁ ଏହି ସୁବିଧାକୁ ହଟାଇ ଦିଆଯାଇଛି। ଏନେଇ ରୟଟର୍ସରେ ଖବର ପ୍ରକାଶ ପାଇଛି। ଏହା ପୂର୍ବରୁ ଟ୍ୱିଟରରେ ‘ଭିୟୁ କାଉଣ୍ଟ ଫିଚର’ ବି ଉଠାଇଥିଲେ ମସ୍କ।
ଆତ୍ମହତ୍ୟା ନିରୋଧକ ବ୍ୟବସ୍ଥାରେ ୟୁଜରଙ୍କର କୌଣସି ତତ୍ସମ୍ପର୍କିତ କଣ୍ଟେଣ୍ଟ ଦେଖିଲେ ଟ୍ୱିଟର ଏହାକୁ ରୋକିବାକୁ ସତର୍କତା ଓ ସାବଧାନମୂଳକ ଅନ୍ୟାନ୍ୟ ମାର୍ଗ ଦର୍ଶାଉଥିଲା। ଏହି ସୁବିଧା ହଟାଇ ଦିଆଯାଇଛି ବୋଲି ଦୁଇ ବ୍ୟକ୍ତି ନାଁ ଗୋପନ ରଖି ସୂଚନା ଦେଇଛନ୍ତି।
କାରଣ ତାଙ୍କ ନାଁ ସାମ୍ନାକୁ ଆସିଲେ ମସ୍କ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି ବୋଲି ସେମାନେ ଚିନ୍ତା କରି ତାଙ୍କ ନାଁ ଗୋପନ ରଖିଛନ୍ତି। ତେବେ ମସ୍କ ହଠାତ୍ କାହିଁକି ଏପରି ନିର୍ଦ୍ଦେଶ ଦେଲେ ସେ ନେଇ ରୟଟର୍ସର ରିପୋର୍ଟରେ ସ୍ପଷ୍ଟ କରାଯାଇ ନାହିଁ।
ଟ୍ୱିଟର #ThereIsHelp ଫିଚର ସାହାଯ୍ୟରେ ଆତ୍ମହତ୍ୟା ସମ୍ପର୍କିତ ସର୍ଚ୍ଚ କରୁଥିବା ୟୁଜରଙ୍କୁ ଖୋଜି ଏହାର ନିରୋଧକ ପରାମର୍ଶ ଦେଉଥିଲା। ଏବେ ତାହା ଉଠିଯିବା ପରେ କେତେକ ବୁଦ୍ଧିଜୀବୀ ଏହାକୁ ନିନ୍ଦା କରିଛନ୍ତି। ଟ୍ୱିଟର ଟ୍ରଷ୍ଟ ଓ ସୁରକ୍ଷା ମୁଖ୍ୟ ଇଲା ଇରୱିନ ରୟଟର୍ସକୁ ପ୍ରତିକ୍ରିୟ ଦେଇ କହିଛନ୍ତି “ଆମେ ଆମର ସୁବିଧାସବୁକୁ ସଂଶୋଧନ କରୁଛୁ। ଏହି ସୁବିଧା କିଛି ସମୟ ପାଇଁ ହଟାଇ ଦିଆଯାଇଛି। ଖୁବଶୀଘ୍ର ଏହାକୁ ପୁନଃ ଲାଗୁ କରାଯିବ। ଆସନ୍ତା ସପ୍ତାହ ସୁଧା ଏହା ପୁନଃ ଲାଗୁ ହୋଇଯିବ ବୋଲି ଆଶା କରୁଛୁ। ”