ଟ୍ଵିଟରର ଅବସ୍ଥା ଖରାପ, ଅର୍ଥ ପାଇଁ ଅଫିସ ସାମଗ୍ରୀ ବିକ୍ରି କରୁଛନ୍ତି ଏଲନ ମସ୍କ

Published By : Prameya-News7 Bureau | January 18, 2023 IST

ନୂଆଦିଲ୍ଲୀ: ଦୁନିଆର ସବୁଠୁ ବିତ୍ତଶାଳୀ ବ୍ୟକ୍ତି ଏଲନ ମସ୍କ ଯେବେଠୁ ଟ୍ଵିଟର କିଣିଛନ୍ତି, ତେବେଠୁ ଏହି ମାଇକ୍ରୋବ୍ଲଗିଙ୍ଗ ପ୍ଲାଟଫର୍ମର ଅନେକ ସମସ୍ୟା ଆରମ୍ଭ ହୋଇଛି। ଟ୍ଵିଟରକୁ ଅନେକ ଆହ୍ଵାନର ସମ୍ମୁଖୀନ ହେବାକୁ ପଡିଛି। ମସ୍କ ପୂର୍ବରୁ ଅନେକ କର୍ମଚାରୀଙ୍କୁ ଚାକିରିରୁ ବିଦା କରି ସାରିଛନ୍ତି। ଏବେ ବାକି କର୍ମଚାରୀଙ୍କୁ ଦିନ ରାତି କାମ କରିବାକୁ କୁହାଯାଉଛି। ସ୍ଥିତି ଏମିତି ଯେ, କମ୍ପାନି ଅତିରିକ୍ତ ଅର୍ଥ ପାଇଁ ଅଫିସର ସାମଗ୍ରୀ ବିକ୍ରି କରିବାରେ ଲାଗିଛି।

ଗତ ଦିନରେ ଟ୍ଵିଟର କର୍ମଚାରୀଙ୍କୁ କମ ବେତନ ଦିଆଯିବା ଖବର ସାମ୍ନାକୁ ଆସିଥିଲା। ଆଉ ବର୍ତ୍ତମାନ କମ୍ପାନି ଅଫିସର ଅନେକ ଉପକରଣ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛି। ସାମଗ୍ରୀରେ ଟ୍ଵିଟରର ବୋର୍ଡ ଲୋଗୋ, କଫି ପ୍ରସ୍ତୁତକାରୀ ଏସ୍ପ୍ରେସୋ ମେସିନ, ରେଫ୍ରିଜେରେଟର୍ସ ଏବଂ   ଆପଲ୍ ମେକ୍ ଡିଭାଇସ୍ ସାମିଲ୍। କମ୍ପାନି ହେରିଟେଜ୍ ଗ୍ଲୋବାଲ୍ ପାର୍ଟନର ସହ ମିଶି ୬୩୧ ସାମଗ୍ରୀ ଚିହ୍ନଟ କରିଛି, ଯାହାର ଅନଲାଇନ୍ ବିକ୍ରି କରାଯିବ।

ଟ୍ଵିଟର ଅଫିସରୁ ଏକତ୍ରିତ କରାଗଲା ସାମଗ୍ରୀ

ଅନଲାଇନ ନିଲାମ ପାଇଁ ପ୍ରସ୍ତୁତ ତାଲିକାରେ ସମସ୍ତ ସାମଗ୍ରୀ ଟ୍ଵିଟରର ସାନ ଫ୍ରାନସିସ୍କୋ ଅଫିସରୁ ଏକତ୍ର କରାଯାଇଛି। ଜାନୁଆରୀ ୧୮ ରାତି ୧୧ଟା ୩୦ରେ ଏସବୁ ସାମଗ୍ରୀର ନିଲାମ ପ୍ରକ୍ରିୟା ଆରମ୍ଭ ହୋଇପାରେ। ଟ୍ଵିଟର ଆଶା କରିଛି ଯେ, ନିଲାମରେ ଅନେକ ସାମଗ୍ରୀ ଚଢା ଦରରେ ବିକ୍ରି ହେବ।

କେତେ ରଖାଯାଇଛି ସାମଗ୍ରୀର ମୂଲ୍ୟ ?

ଟ୍ଵିଟରର ବର୍ଡ ଷ୍ଟେଚ୍ୟୁର ପ୍ରାରମ୍ଭିକ ମୂଲ୍ୟ ୨୦ ହଜାର ଡଲାର(ପ୍ରାୟ ୧୬ ଲକ୍ଷ ଟଙ୍କା) ରଖାଯାଇଛି। ଏହା ବ୍ୟତୀତ କମ୍ପାନି ‘@’ ଆକାରର  ପ୍ଲାଣ୍ଟର ବିକ୍ରି କରୁଛି। ଏହା ୮ ହଜାର ଡଲାର(ପ୍ରାୟ ୬.୫୩ ଲକ୍ଷ ଟଙ୍କା)ରୁ ଅଧିକ ଦାମରେ ବିକ୍ରି ହେବ ବୋଲି କମ୍ପାନି ଆଶା ରଖିଛି। ଏହିପରି କାଠର ଚୌକିର ମୂଲ୍ୟ ୧୦୦୦ ଡଲାର(ପ୍ରାୟ ୮୧ ହଜାର ଟଙ୍କା) ରଖାଯାଇଛି। କଫି ମେସିନ ପାଇଁ ୩୪୦୦ ଡଲାର(ପ୍ରାୟ ୨.୭୭ ଲକ୍ଷ ଟଙ୍କା) ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି।

କାହିଁକି ଅଫିସ ସାମଗ୍ରୀ ବିକ୍ରି କରୁଛି କମ୍ପାନି

ସଂପ୍ରତି ଟ୍ଵିଟରର ଅବସ୍ଥା ଖରାପ ରହିଛି। କମ୍ପାନି ଆର୍ଥିକ ସମସ୍ୟାରୁ ମୁକୁଳିବା ପାଇଁ ଯଥା ସମ୍ଭବ ପାଣ୍ଠି ଯୋଗାଡ କରିବାକୁ ଉଦ୍ୟମ କରୁଛି। ନିକଟରେ ଘରଭଡା ଦେଇନଥିବା କାରଣରୁ ସିଙ୍ଗାପୁରରେ ଟ୍ଵିଟର କର୍ମଚାରୀଙ୍କୁ ଅଫିସ୍ ଖାଲି କରିବାକୁ କୁହାଯାଇଥିଲା। ଏହି ପରି କମ୍ପାନି ମୁମ୍ବାଇ ଏବଂ ଦିଲ୍ଲୀରେ ମଧ୍ୟ ନିଜର ଅଫିସ ଖାଲି କରୁଛି। ରୟଟର୍ସ ଅନୁଯାୟୀ ଗତ ବର୍ଷ ତୁଳନାରେ ଟ୍ଵିଟରର ରାଜସ୍ଵ ୪୦ ପ୍ରତିଶତ ହ୍ରାସ ପାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.