ନୂଆଦିଲ୍ଲୀ ୧୬/୧୦: ସୋସିଆଲ ମିଡିଆ ପ୍ଳାଟଫର୍ମ ଟ୍ବିଟର ଗୁରୁବାର (ଅକ୍ଟୋବର ୧୫) ପ୍ରାୟ ଦୁଇ ଘଣ୍ଟା ପାଇଁ ବନ୍ଦ ହୋଇଯାଇଥିଲା। ଗ୍ଳୋବାଲ ଆଉଟେଜ ପାଇଁ ଏଭଳି ସମସ୍ୟା ଦେଖା ଦେଇଥିଲା। ଅବଶ୍ୟ ଏବେ ଟ୍ବିଟର ସେବା ପୁଣି ପୂର୍ବଭଳି ଆରମ୍ଭ ହୋଇଛି। ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ବିଟର କିଛି ଦେଶରେ ତାର ସେବା ପୂରା ଠପ୍ ହୋଇଥିଲା। ଅର୍ଥାତ ସନ୍ଧ୍ୟା ୭ଟାରୁ ଏହା ବନ୍ଦ ହୋଇଯାଇଥିଲା। ସାଇଟକୁ କେହି ହ୍ୟାକ୍ କରି ନ ଥିବା ସ୍ପଷ୍ଟ କରିଛି କମ୍ପାନି। ସନ୍ଧ୍ୟା ୭ଟାରୁ ୟୁଜରଙ୍କୁ ଟ୍ବିଟର ଆକାଉଣ୍ଟ ଲଗଇନ୍ କରିବାରେ ସମସ୍ୟା ହୋଇ ଥିଲା। କେହି ବି ଟ୍ବିଟ୍ କରିପାରୁ ନ ଥିଲେ। କିଛି ୟୁଜର ଲଗଇନ୍ କରିପାରୁଥିବା ବେଳେ ସର୍ଚ କଲେ କିଛି କଣ୍ଟେଣ୍ଟ କିନ୍ତୁ ସେମାନଙ୍କୁ ଦେଖାଉ ନ ଥିଲା।
ଏହା ପୂର୍ବରୁ ମଧ୍ୟ ଅନେକ ଥର ଟ୍ବିଟର ଡାଉନ୍ ହୋଇଛି। କେବଳ ଏତିକି ନୁହେଁ ଟ୍ବିଟର ଏକାଧିକ ବାର ହ୍ୟାକିଙ୍ଗ ଆଦି ସମସ୍ୟା ଦେଇ ଗତି କରିଛି। ଟ୍ବିଟର ବ୍ୟବହାର ସମସ୍ତେ କରୁଥିଲେ ମଧ୍ୟ ବିଶେଷକରି ବଡ଼ ବଡ଼ ପ୍ରତିଷ୍ଠିତ ଲୋକ ମାନେ ହିଁ କରିଥାନ୍ତି। ୨୦୦୬ ମାର୍ଚ ୨୧ରେ ଏହା ଆରମ୍ଭ ହୋଇଥିଲା।
କାର୍ଲିଫଣ୍ଣିଆର ଏହି କମ୍ପାନି ଟ୍ବିଟ କରି କହିଛି ‘କିଛି ଲୋକଙ୍କ ପାଇଁ ଟ୍ବିଟର ଡାଉନ ହୋଇଯାଇ ଥିଲା। ଏବେ ସମସ୍ତଙ୍କ ପାଇଁ ପୂର୍ବ ଭଳି ସେବା ପ୍ରଦାନ କରିବା ଦିଗରେ କାମ ଜାରି ରହିଛି। ଇଣ୍ଟରନାଲ ସିଷ୍ଟମରେ କିଛି ଅସୁବିଧା ଥିଲା । ଅବଶ୍ୟ ସିକ୍ୟୁରିଟି କିମ୍ବା ସାଇଟ୍ ହ୍ୟାକ ହେବାର କିଛି ପ୍ରମାଣ ନାହିଁ।’