ଶିକ୍ଷା ବିଭାଗର କାର୍ଯ୍ୟାନୁଷ୍ଠାନ: ବହୁ ବର୍ଷ ଅନୁପସ୍ଥିତ ଥିବା ୨୪ ଶିକ୍ଷକ ଚାକିରିରୁ ବିଦା

Published By : Prameya-News7 Bureau | January 06, 2023 IST

ନବରଙ୍ଗପୁର ୦୬/୦୧: ବିନା ଛୁଟିରେ ବହୁ ବର୍ଷ କାର୍ଯ୍ୟରେ ଅନୁପସ୍ଥିତ ପଡ଼ିଲା ମହଙ୍ଗା। ୨୪ ଜଣ ଶିକ୍ଷକଙ୍କୁ ଚାକିରିରୁ ବହିଷ୍କାର କଲେ ଜିଲ୍ଲାପାଳ। ରାଜ୍ୟରେ ବିନା ଛୁଟିରେ ବହୁ ବର୍ଷ ଧରି ଅନୁପସ୍ଥିତ ଥିବା ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଗଣଶିକ୍ଷା ବିଭାଗ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି କ୍ରମରେ ନବରଙ୍ଗପୁର ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ବହୁ ଦିନହେଲା ଅନୁପସ୍ଥିତ ଥିବା ଚୁକ୍ତି ଭିତ୍ତିକ କନିଷ୍ଠ ଶିକ୍ଷକ, କନିଷ୍ଠ ଶିକ୍ଷକ ଓ ଗଣଶିକ୍ଷକଙ୍କ ବିଷୟରେ ସମସ୍ତ ବ୍ଲକ ଶିକ୍ଷାଧିକାରୀ ମାନଙ୍କୁ ଚିଠି ହୋଇଥିଲା। ଏହି ଚିଠି ଆଧାରରେ ଅନୁପସ୍ଥିତ ଥିବା ଶିକ୍ଷକମାନଙ୍କୁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିଲା।

ଶେଷରେ ଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲାରେ ୩୧ ଜଣ ଶିକ୍ଷକଙ୍କ ବିରୋଧରେ ଏନେଇ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟକୁ ରିପୋର୍ଟ ଦିଆଯାଇଥିଲା। ସେଥିରେ ଚନ୍ଦାହାଣ୍ଡି ବ୍ଲକରେ ଜଣେ, ଡାବୁଗାଁ ବ୍ଲକରେ ୨ ଜଣ, ନନ୍ଦାହାଣ୍ଡି ବ୍ଲକରେ ୨ ଜଣ, ପାପଡ଼ାହାଣ୍ଡି ବ୍ଲକରେ ୫ ଜଣ, ରାଇଘର ବ୍ଲକରେ ୭ ଜଣ, ଝରିଗାଁ ବ୍ଲକରେ ୩ ଜଣ, କୋଷାଗୁମୁଡା ବ୍ଲକରେ ୭ ଜଣ, ନବରଙ୍ଗପୁର ବ୍ଲକରେ ୨ ଜଣ ଓ ତେନ୍ତୁଳିଖୁଣ୍ଟି ଏବଂ ଉମରକୋଟ ବ୍ଲକରେ ଜଣେ ଲେଖାଏଁ ଶିକ୍ଷକ ଅନୁପସ୍ଥିତି ଥିବା ନେଇ ବିବରଣୀ ପ୍ରଦାନ କରାଯାଇଥିଲା।

ରିପୋର୍ଟ ଆଧାରରେ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ପୁଣି ୩୧ ଜଣ ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିଲା। ୩୧ ଜଣଙ୍କ ମଧ୍ୟରୁ ୬ ଜଣ ଠିକା ଶିକ୍ଷକ ଚିଠିର ଉତ୍ତର ଦେଇନଥିଲେ। ଗତ ଅଗଷ୍ଟରେ କୋଷାଗୁମୁଡ଼ା ବ୍ଲକରେ ନିଯୁକ୍ତି ପାଇଥିବା ଜଣେ ଶିକ୍ଷକ ଚାକିରି ଛାଡ଼ି ଥିଲେ। ବାକି ୨୪ ଜଣ ଶିକ୍ଷକଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ଗଣଶିକ୍ଷା ବିଭାଗର ଚିଠିର ଉତ୍ତର ଦେଇଥିବା ଝରିଗାଁ ବ୍ଲକର ଶିକ୍ଷକ ମିତାଲି ସାହୁ, ରଜତ ଜେନା, ନବରଙ୍ଗପୁର ବ୍ଲକର ଉମେଶ କଶ୍ୟପ ଓ ମଙ୍ଗଳଦାସ ଭତ୍ରା, ଡାବୁଗାଁ ବ୍ଲକର ଧନସିଂ ଭତ୍ରା ଓ କୋଷାଗୁମୁଡା ବ୍ଲକର ରଞ୍ଜନ କୁମାର କାଣ୍ଡି ଉତ୍ତର ଦେଇଥିବାରୁ ସେମାନଙ୍କ ଚାକିରି ବଞ୍ଚିଯାଇଛି। ଅନ୍ୟ ୨୪ ଜଣ ଶିକ୍ଷକଙ୍କ ଠାରୁ କୌଣସି ଉତ୍ତର ନମିଳିବାରୁ ଜିଲ୍ଲାପାଳ ୨୪ ଜଣ ଶିକ୍ଷକଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି। ସୂଚନାଥାଉକି, ଶିକ୍ଷକ ଅନୁପସ୍ଥିତି ଥିବା ବେଳେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ସେଠାରେ ନୂଆ ଶିକ୍ଷକ ପଦବୀ ପୂରଣ ହୋଇ ପାରୁନଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.