ନୀଳଗିରି ୧୪/୧୨(ଆ.ପ୍ର): ନାବାଳିକା ଅପହରଣ ହେବାର ୨୫ ଦିନ ବିତିଯାଇଥିଲେ ମଧ୍ୟ କୌଣସି ଖବର ନମିଳିବାରୁ ବାପାମାଆ ଭାଙ୍ଗିପଡିଛନ୍ତି। ପୋଲିସ ମଧ୍ୟ ଏବେ ମଧ୍ୟ ଝିଅ ବିଷୟରେ କୌଣସି ସୂଚନା ପାଇ ପାରିନାହିଁ। ତଦନ୍ତ ଚାଲିଥିବା କଥା କହିଛି ପୋଲିସ।
ସୂଚନା ଅନୁସାରେ ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ବେଗୁନିଆ ଅଞ୍ଚଳର ଜଣେ ନାବାଳିକା ଗତ ଅକ୍ଟୋବର ମାସ ୧୮ ତାରିଖ ରାତିରେ ବାହାରକୁ ପରିସ୍ରା ପାଇଁ ଉଠି ଆଉ ଘରକୁ ଫେରି ନଥିଲେ। ସକାଳେ ପରିବାର ଲୋକେ ବହୁ ଖୋଜାଖୋଜି ଝିଅକୁ ପାଇନଥିଲେ। ବାହାରେ ମଧ୍ୟ ଖୋଜାଖୋଜି ନପାଇବାରୁ ନୀଳଗିରି ଥାନାରେ ଅକ୍ଟୋବର ମାସ ୨୯ ତାରିଖରେ ଅଭିଯୋଗ କରିଥିଲେ। ପରେ ନାବାଳିକାର ବାପା ସୋମନାଥପୁର ଅଞ୍ଚଳର କିଛି ଯୁବକ ଝିଅକୁ ଅପହରଣ କରିନେଇଥିବା ଖବର ମଧ୍ୟ ପାଇଥିଲେ।
ପୋଲିସ ମଧ୍ୟ ସୋମନାଥପୁର ଅଞ୍ଚଳର ଶିବା ସିଂ,ବିଶ୍ୱନାଥ ସିଂ,ଦିପୁ ସିଂ,ବାବୁରାମ ସିଂ,ବାଙ୍ଗିରି ସିଂ ନାମରେ ମାମଲା ରୁଜୁକରି ତଦନ୍ତ କରୁଥିବା ଜଣାପଡିଛି। ଆଜକୁ ୨୫ ଦିନ ବିତି ଯାଇଥିଲେ ସୁଦ୍ଧା ଝିଅର କୌଣସି ସନ୍ଧାନ ମିଳିପାରି ନାହିଁ। ତେଣୁ ବାପା ମା ଝିଅ ପାଇଁ ଭାଙ୍ଗିପଡିଛନ୍ତି। ଅଭିଯୋଗ ପାଇ ନୀଳଗିରି ପୋଲିସ ପକ୍ଷରୁ ମାମଲା ରୁଜୁ କରି ତଦନ୍ତ ଚାଲୁଥିବା ବେଳେ ଅପହରଣର କେଇଦିନ ପରେ ଅଭିଯୋଗ ହେବାରୁ ଅପହରଣକାରୀ ଖସିଯିବାର ସମର୍ଥ ହୋଇଥିବା କହିଛନ୍ତି ନୀଳଗିରି ଆଇଆଇସି ପ୍ରଭଞ୍ଜନ ବେହେରା।