ଟିଭି ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟା, ମେକଅପ୍‌ ରୁମ୍‌ରେ ହାରିଲେ ଜୀବନ

Published By : Prameya-News7 Bureau | December 24, 2022 IST

ନୂଆଦିଲ୍ଲୀ: ଟିଭି ସିରିୟଲ ଅଲି ବାବା ଦାସ୍ତାନ ଏ କାବୁଲ ଏବଂ ଫିଲ୍ମ ଫିତୁରର ଅଭିନେତ୍ରୀ ତୁନିଶା ଶର୍ମା ଆତ୍ମହତ୍ୟା କରିଛନ୍ତି। ଟିଭି ସିରିୟଲ ସେଟ୍‌ରେ ସେ ଆତ୍ମହତ୍ୟା କରିଥିବା ଜଣା ପଡିଛି। ମେକଅପ୍‌ ରୁମରୁ ପୋଲିସ ମୃତଦେହ ଉଦ୍ଧାର କରିଛି। ତାଙ୍କ ଆତ୍ମହତ୍ୟା ଘଟଣାରେ ଟେଲି ଜଗତ ସ୍ତବ୍ଧ ହୋଇ ପଡିଛି। ଫିଲ୍ମ ଜଗତରେ ଲୋକପ୍ରିୟ ଅଭିନେତ୍ରୀ ତୁନିଶା ମାତ୍ର ୨୦ ବର୍ଷ ବୟସରେ ନିଜର ଜୀବନ ହାରିଛନ୍ତି।

ତୁନିଶା ଶର୍ମା ଛୋଟ ବୟସରେ ଅନେକ ଲୋକପ୍ରିୟ ଧାରାବାହିକ ଏବଂ ଫିଲ୍ମରେ କାମ କରି ନିଜ ପାଇଁ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ତେବେ ଅଚାନକ ତାଙ୍କର ଆତ୍ମହତ୍ୟା ଖବର ତାଙ୍କ ପ୍ରଶଂସକଙ୍କୁ ସ୍ତବ୍ଧ କରି ଦେଇଛି। ତୁନିଶା ୬ ଘଣ୍ଟା ପୂର୍ବରୁ ମେକଅପ୍‌ ରୁମକୁ ଯାଇ ଆଉ ଫେରିନଥିଲେ। ତାଙ୍କୁ ସେଠାରୁ ଉଦ୍ଧାର କରି ତୁରନ୍ତ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଘଟଣାର ସୂଚନା ମିଳିବା ମାତ୍ରେ ମୁମ୍ବାଇର ବାଲିବ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ଆଲିବାବା ସେଟ୍‌ରେ ଘଟିଛି। ସୂଚନା ଅନୁଯାୟୀ, ଶନିବାର ତୁନିଶା ନିଜର ସହ କର୍ମୀ ଶିଜାନଙ୍କ ମେକଅପ୍‌ ରୁମ୍ ପହଞ୍ଚିଥିଲେ। ସେହି ସମୟରେ ଶିଜାନ ସୁଟିଂରେ ବ୍ୟସ୍ତ ଥିଲେ। ଶିଜାନଙ୍କ ଅନୁସାରେ ଯେତେବେଳେ ସେ ନିଜ ସଟ୍ ସାରି ମେକଅପ୍‌ ରୁମରେ ପହଞ୍ଚିଲେ ତେବେ ଭିତରୁ ପଟୁ କବାଟ ବନ୍ଦ ଥିଲା। ସେ ଅନେକ ଥର ଡାକିଲେ, ମାତ୍ର କୌଣସି ଉତ୍ତର ମିଳିନଥିଲା। ଏହା ପରେ ସେ ମେକଅପ୍‌ ରୁମର କବାଟ ଭାଙ୍ଗି ଭିତରେ ପଶିବାରୁ ତୁନିଶାଙ୍କୁ ଅଚେତ୍ ଅବସ୍ଥାରେ ଦେଖିବାକୁ ପାଇଲେ। ତୁରନ୍ତ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା, ଯେଉଁଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ତେବେ ଅଭିନେତ୍ରୀ କାହିଁକି ଆତ୍ମହତ୍ୟା କଲେ ତାକୁ ନେଇ ଅନେକ ପ୍ରଶ୍ନ ଉଠିଛି। ପୋଲିସ୍ ଏହାର କାରଣ ଜାଣିବା ପାଇଁ ଖୋଳତାଡ ଆରମ୍ଭ କରି ଦେଇଛି। ଏହା ଜାଣିବାକୁ ଚେଷ୍ଟା କରାଯାଉଛି ଯେ, ତନୁଶା କୌଣସି ମାନସିକ ଚାପରେ ଥିଲେ କି ? ତୁନିଶା ଅଳ୍ପ ବୟସରେ ସଫଳତାର ସିଡି ଚଢି ଚାଲିଥିଲେ। କ୍ୟାଟେରିନା କୈଫ-ବିଦ୍ୟା ବାଲାନଙ୍କ ପରି ଅଭିନେତ୍ରୀଙ୍କ ଫିଲ୍ମରେ ସେ କାମ କରି ସାରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.