୧୮ ବର୍ଷର ଆଫଗାନିସ୍ତାନ ଯୁଦ୍ଧରେ ନୂଆ ମୋଡ, ଦୋହାରେ ତାଲିବାନ ସହ ଆମେରିକାର ଶାନ୍ତି ଚୁକ୍ତି
29/02/2020 at 8:08 PM

ଦୋହା ୨୯।୨: ଦୀର୍ଘ ୧୮ ବର୍ଷ ହେଲା ଆଫାଗନୀସ୍ତାନରେ ଲାଗି ରହିଥିବା ଅରାଜକତା ଓ ରକ୍ତାକ୍ତ ସଂଘର୍ଷରେ ଏବେ ଜବନିକା ପଡିବ। ଶନିବାର କତାର ରାଜଧାନୀ ଦୋହାରେ ଆଫଗାନ ତାଲିବାନ ଓ ଆମେରିକା ମଧ୍ୟରେ ଶାନ୍ତି ଚୁକ୍ତି ସ୍ୱାକ୍ଷରତି ହୋଇଛି। ଫଳରେ ଆଫଗାନିସ୍ତାନରେ ଦୀର୍ଘ ଯୁଦ୍ଧ ଚଳାଇଥିବା ଆମେରିକୀୟ ଫୋର୍ସର ଆଉ ଆବଶ୍ୟକତା ନଥିବାବେଳେ ସେମାନଙ୍କ ପ୍ରତ୍ୟାହାର ଚୂଡାନ୍ତ ହୋଇଯାଇଛି। ଚୁକ୍ତି ଅନୁସାରେ ଆମେରିକା ଆଗାମୀ ୧୪ ମାସରେ ପର୍ଯ୍ୟାୟକ୍ରମରେ ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର ଲାଗି ରାଜି ହୋଇଯାଇଛି।

ଆଫଗାନିସ୍ତାନରେ ଏବେ ଆମେରିକାର ୧୩ ହଜାର ଫୋର୍ସ ମୁତୟନ ଅଛନ୍ତି। ତାଲିବାନ ସହ ରାଜିନାମା ଅନୁସାରେ ଆଗାମୀ ୩ରୁ ୪ ମାସ ମଧ୍ୟରେ ଏହି ସଂଖ୍ୟାକୁ ୮ହଜାର ୬୦୦କୁ ହ୍ରାସ କରାଯିବ। ସେହିପରି ବଳକା ଫୋର୍ସଙ୍କୁ ୧୪ ମାସ ମଧ୍ୟରେ ଆମେରିକା ଫେରାଇ ନେବ ବୋଲି କହିଛି। ତେବେ ଆମେରିକାର ପୂର୍ଣ୍ଣ ପ୍ରତ୍ୟାହାର ତାଲିବାନର ପ୍ରତିଶ୍ରୁତି ପାଳନ ଉପରେ ନିର୍ଭର କରେ ବୋଲି ଜଣାପଡିଛି। ଯଦି ତାଲିବାନ ରାଜିନାମା ଅନୁସାରେ ପ୍ରତିଶ୍ରୁତି ପୂରଣ କରେ ତେବେ ଆଫଗାନ ପ୍ରସଙ୍ଗରୁ ଆମେରିକା ସ୍ୱତଃ ଅପସରି ଯିବ ବୋଲି କୁହାଯାଇଛି।

ଆମେରିକା ଉପରେ ହୋଇଥିବା ୯/୧୧ ଆକ୍ରମଣକୁ ନେଇ ତତ୍କାଳୀନ ରାଷ୍ଟ୍ରପତି ଜର୍ଜ ଡବ୍ଲୁ.ବୁଶ୍ ଆଫଗାନିସ୍ତାନରେ ସେନା ଅଭିଯାନ ନିର୍ଦ୍ଦେଶ ଦେଇଥିଲେ। ଆଫାଗାନିସ୍ତାନରେ ଆମେରିକୀୟ ସେନାର କାର୍ଯ୍ୟାନୁଷ୍ଠାର ମାତ୍ର କିଛିଦିନରେ ତାଲିବାନ ସରକାର ଫେରାର ହୋଇଯାଇଥିଲେ। ସାଙ୍ଗକୁ ପାକିସ୍ତାନ ସୀମା ପର୍ଯ୍ୟନ୍ତ ଲମ୍ବିତ ଅଲ-କାଏଦାର ସାମ୍ରାଜ୍ୟ ମଧ୍ୟ ଧ୍ୱଂସ୍ତ ହୋଇଥିଲା। ତେବେ ଆଫଗାନିସ୍ତାନରେ ଆମେରିକାର ଯୁଦ୍ଧ କିନ୍ତୁ ଦୀର୍ଘ ହୋଇଯାଇଥିଲା। ଆଫାଗନିସ୍ତାନରେ ଏକ ସ୍ଥାୟୀ ଓ କାର୍ଯ୍ୟକ୍ଷମ ସରକାର ସ୍ଥାପନା ସହ ଦେଶକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ ଲାଗି ଆମେରିକା ଉଦ୍ୟମ କରିଥିଲା। ହେଲେ ତାଲିବାନ ପୁଣି ଏକଜୁଟ ହୋଇ ଦେଶର ବିସ୍ତୃତ ଅଞ୍ଚଳକୁ ସେମାନଙ୍କ ଅଧିକାରକୁ ନେଇଯାଇଛନ୍ତି ।

ଆଫଗାନିସ୍ତାନରେ ଆମେରିକ ୭୫୦ ବିଲିୟନ ଡଲାର ବ୍ୟୟ କରିଥିବା ବେଳେ ଉଭୟ ପକ୍ଷର ପ୍ରାୟ ୧୦ ହଜାର ଲୋକଙ୍କ ପ୍ରାଣୀ ହାନୀ ହୋଇଛି। ତେବେ ଆଫଗାନିସ୍ତାନର ଦୀର୍ଘ ସଂଘର୍ଷ ଅବସାନ ଲାଗି କତାରସ୍ଥିତ ତାଲିବାନ ରାଜନୈତିକ କାର୍ଯ୍ୟାଳୟରେ ଆୟୋଜିତ ବୈଠକରେ ଆମେରିକା ଗୃହମନ୍ତ୍ରାଳୟ ସଚିବ ମାଇକ ପମ୍ପେୟୋ ମଧ୍ୟ ଯୋଗଦେଇଥିଲେ। ପମ୍ପେୟୋଙ୍କ ଉପସ୍ଥିତିରେ ଆମେରିକାର ଆଫଗାନିସ୍ତାନ ଶାନ୍ତି ପ୍ରତିନିଧି ଜଲମେ ଖଲିଲଜାଦ୍ ଓ ତାଲିବାନ ମୁଖିଆ ମୁଲ୍ଲା ଅବଦୁଲ ଗନି ବରଦର ଏହି ଶାନ୍ତି ଚୁକ୍ତିରେ ସ୍ୱାକ୍ଷର କରିଛନ୍ତି।

ଚୁକ୍ତି ସ୍ୱାକ୍ଷର ଅବସରରେ ଆଫଗାନ ତାଲିବାନ ପକ୍ଷରୁ ଏକ ଭିକ୍ଟୋରୀ ମାର୍ଚ୍ଚର ଆୟୋଜନ କରାଯାଇଥିବାର ଏକ ଭିଡିଓ ତାଲିବାନ ୱେବ୍ ସାଇଟ୍ରେ ପୋଷ୍ଟ କରାଯାଇଛି। ଯେଉଁଥିରେ ଉଗ୍ରବାଦୀ ଶ୍ୱେତ ପତାକା ଧରି ପରେଡ କରୁଥିବା ଦେଖାଯାଇଛି। ଏହାକୁ ଏକ ବିଜୟର ଦିନ ବୋଲି ଏଥିରେ କୁହାଯାଇଥିବା ବେଳେ ଯାହା ଆଲ୍ଲାହ ଓ ଆବାସ ଷ୍ଟାନିକଜାଇଙ୍କ ଯୋଗୁ ସମ୍ଭବ ହୋଇଥିବା ଉଲ୍ଲେଖ କରାଯାଇଛି। ତେବେ ଏହି ଶାନ୍ତି ଚୁକ୍ତି ସଫଳ ହେବ କି ନା ତାହା କିନ୍ତୁ ଏବେ କୁହାଯାଇପାରିବନି।