କାଶ୍ମୀର ପ୍ରସଙ୍ଗରେ ପାକ୍କୁ ତୁର୍କୀର ଖୋଲା ସମର୍ଥନ, FATF ରେ ସମର୍ଥନ ଲାଗି ପ୍ରତିଶ୍ରୁତି ଦେଲେ ଏର୍ଡୋଗାନ
14/02/2020 at 4:15 PM

ଇସ୍ଲାମାବାଦ ୧୪।୨: ଦୁଇଦିବସୀୟ ପାକିସ୍ତାନ ଗସ୍ତରେ ଆସିଥିବା ତୁର୍କୀ ରାଷ୍ଟ୍ରପତି ରେସେପ୍ ତାଇପ୍ ଏର୍ଡୋଗାନ ଶୁକ୍ରବାର ମିଳିତ ପାକ୍ ସଂସଦକୁ ସମ୍ବୋଧିତ କରିଛନ୍ତି। ଏଥିରେ ସେ ପାକ୍ ସହ ତୁର୍କୀର ଐତିହାସିକ ସମ୍ପର୍କକୁ ମନେ ପକାଇ କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ପ୍ରତି ତାଙ୍କର ସମର୍ଥନ ଘୋଷଣା କରିଛନ୍ତି। କେବଳ ଏତିକି ନୁହେଁ ଆତଙ୍କବାଦକୁ ସହାୟତା ଲାଗି ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ (ଏଫଏଟିଏଫ)ରେ ମଧ୍ୟ ପାକିସ୍ତାନକୁ ସହଯୋଗ କରିବାକୁ ଏର୍ଡୋଗାନ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।

ପାକ୍ ମିଳିତ ସଂସଦକୁ ସମ୍ବୋଧିତ କରି ଏର୍ଡୋଗାନ କାଶ୍ମୀରବାସୀଙ୍କୁ ଆମର ଭାଇଭଉଣୀ ବୋଲି କହିବା ସହ ସେମାନେ ଦୀର୍ଘ ଦଶକରୁ ପୀଡାରେ ଥିବା କହିଥିଲେ। ଏଥିରେ ଭାରତ ପକ୍ଷରୁ ନିଆଯାଇଥିବା ଏକତରଫା ପଦକ୍ଷେପ ସେମାନଙ୍କ ଯନ୍ତ୍ରଣାକୁ ଅଧିକ ବଢାଇ ଦେଇଥିବା କହିଥିଲେ। ତେବେ ସଂଘର୍ଷ ଓ ଦମନ ଜରିଆରେ ସମସ୍ୟାର ସମାଧାନ ସମ୍ଭବ ନୁହେଁ ବୋଲି ଏର୍ଡୋଗାନ କହିଛନ୍ତି। ଏଥିଲାଗି ଜାତିସଂଘ ମିଳିତ ଅଧିବେଶନରେ ତୁର୍କୀ ସମ୍ବେଦନଶୀଳ ମନୋଭାବ ପୋଷଣ କରିଥିବାର କହିଥିଲେ।

ତୁର୍କୀ ରାଷ୍ଟ୍ରପତି ଏର୍ଡୋଗାନ ସପତ୍ନୀକ ଗୁରୁବାର ପାକିସ୍ତାନ ଗସ୍ତରେ ଆସିଥିବା ବେଳେ ସେମାନଙ୍କୁ ପାକିସ୍ତାନରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ପାକ୍ ର ଆତିଥେୟତାକୁ ଏର୍ଡୋଗାନ ଉଚ୍ଚ ପ୍ରଶଂସା କରିଥିବା ବେଳେ ଉଭୟ ଦେଶର ସମ୍ପର୍କ ଓ ଭାଇଚାରାର ଦୀର୍ଘ ଇତିହାସ ରହିଆସିଛି ଓ ଆଗକୁ ବି ରହିବ ବୋଲି କହିଛନ୍ତି।