ତୁର୍କି ଭୂମିକମ୍ପ ମୃତ୍ୟୁ ସଂଖ୍ୟା ହେଲା ୨୬ ହଜାର, ଶବ ସଂସ୍କାର ପାଇଁ ମିଳୁନି ଜାଗା, ବିଗୁଡୁଛି ପରିସ୍ଥିତି
11/02/2023 at 9:03 PM

ନୂଆଦିଲ୍ଲୀ ୧୧।୨: ତୁର୍କି ଓ ସିରିଆରେ ଏବେ ଶୋକର ମାହୋଲ। ଏହି ଦୁଇ ଦେଶରେ ଭୂମିକମ୍ପ ଏପରି ବିନାଶ ରଚିଛି ଯେ ଯୁଆଡେ ଦେଖିଲେ ବାହାରୁଛି ମୃତଦେହ। ଏବେ ଦୁଇ ଦେଶକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୨୬ ହଜାର ପାର କରିଯାଇଛି। ଏଥିରେ ତୁର୍କିରେ ଜଣେ ଭାରତୀୟଙ୍କର ମଧ୍ୟ ମୃତ୍ୟୁ ହୋଇଛି। ତୁର୍କି ଓ ସିରିଆରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଦ୍ଧାର କାର୍ଯ୍ୟରେ ନିୟୋଜିତ ସ୍ୱେଚ୍ଛାସେବୀ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି କହିଛନ୍ତି।
ଉଦ୍ଧାରକାରୀମାନେ ଏବେବି ଶହଶହ ପରିବାର ଭଙ୍ଗା ଘରତଳେ ଦବି ରହିଥିବାର ଆଶଙ୍କା କରୁଛନ୍ତି। ଭୂମିକମ୍ପରେ ତୁର୍କିର ୧୦ଟି ପ୍ରାନ୍ତ ପ୍ରଭାବିତ ହୋଇଛି। ଏଠାରେ ୧୦ ହଜାରରୁ ଅଧିକ ଘର ମାଟିରେ ମିଶି ଯାଇଛି ଓ ଲକ୍ଷ ଲକ୍ଷ ଘର ପ୍ରଭାବିତ ହୋଇଛି। ତୁର୍କିରେ ଭାଙ୍ଗିଥିବା ପ୍ରତି ୧୦ଟି ଅଟ୍ଟାଳିକାରେ ଗୋଟିଏ ନୂଆ ଥିଲା ବୋଲି ଏକ୍ସପର୍ଟ କହିଛନ୍ତି। ଯେଉଁଗୁଡିକର ନିର୍ମାଣ ୨୦୦୭ ମସିହା ପରେ ହୋଇଛି। ଏଥିରେ ତୁର୍କି ଓସ୍ମାନିଆରେ ପରିସ୍ଥିତି ଭିନ୍ନ। ଏଠାରେ ରାସ୍ତା ଉପରେ ଲୋଟୁଛି ଲୋକଙ୍କ ଶବ। ସତ୍କାର ପାଇଁ କବରସ୍ତାନରେ ମଧ୍ୟ ଆଉ ଜମି ନଥିବା କୁହାଯାଉଛି।

ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନ ମୁଖ୍ୟ ଟେଡ୍ରୋସ୍ ଅଦନୋମ ଘେବ୍ରେୟେସସ୍ ସିରିଆର ଭୂମିକମ୍ପ ପ୍ରଭାବିତ ଆଲେପୋ ସହର ପରିଦର୍ଶନ କରିଛନ୍ତି। ଭୂମିକମ୍ପ ବିନାଶ ଲିଳାରେ ବିଶ୍ୱର ତମାମ ଦେଶ ତୁର୍କି ଓ ସିରିଆ ସହ କାନ୍ଧକୁ କାନ୍ଧ ମିଶାଇ ଏବେ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ଲାଗିପଡିଛନ୍ତି। ଭାରତ ସମେତ ଅନେକ ଦେଶ ଉଦ୍ଧାର ଅଭିଯାନ ଲାଗି ନିଜନିଜର ଟିମ୍ ତୁର୍କି ଓ ସିରିଆ ପଠେଇଛନ୍ତି। ଏହି ଭିଷଣ ପ୍ରାକୃତିକ ବିପର୍ଯ୍ୟୟରେ ବିଶ୍ୱବ୍ୟାଙ୍କ ତୁର୍କିକୁ ୧.୭୮ ବିଲିୟନ ଡଲାରର ସହାୟତା ଘୋଷଣା କରିଛନ୍ତି।
ସେହିପରି ଆମେରିକା ମଧ୍ୟ ତୁର୍କି ଓ ସିରିଆର ସହାୟତା ନିମନ୍ତେ ୮୫ ମିଲିୟନ ଡଲାରର ସହାୟତା ରାଶି ଘୋଷଣା କରିଛି। ଭାରତ ମଧ୍ୟ ଲଗାତାର ଅଧିକ ରିଲିଫ ସହାୟତା ଲାଗି ଆଶ୍ୱସ୍ତି ଦେଇ ଆସୁଛି। ସେହି ଅନୁସାରେ ଲଗାତାର ବିମାନ ଯୋଗେ ରିଲିଫ ସହାୟତା ମଧ୍ୟ ତୁର୍କି ଓ ସିରିଆ ପହଞ୍ଚିବାରେ ଲାଗିଛି।