ତୁନିଶା ଶର୍ମାଙ୍କ ଆତ୍ମହତ୍ୟା ‘ଲଭ୍ ଜିହାଦ’ କେସ୍, ଏହି ଦିଗରେ ପୋଲିସ୍ ତଦନ୍ତ କରୁ, ଦାବି କଲେ ଅଭିନେତ୍ରୀଙ୍କ ମାମୁଁ
28/12/2022 at 8:00 AM

ନୂଆଦିଲ୍ଲୀ: ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟା ନେଇ ବିବାଦ ଘନେଇବାରେ ଲାଗିଛି। ଲଭ ଜିହାଦ ଦିଗରେ ମାମଲାର ତଦନ୍ତ କରାଯାଉ ବୋଲି ତୁନିଶାଙ୍କ ମାମୁଁ ପୋଲିସ ନିକଟରେ ଦାବି କରିଛନ୍ତି। ଡିସେମ୍ବର ୨୪ରେ ଅଲି ବାବା: ଦାସ୍ତନା ଏ କାବୁଲ୍ର ମେକଅପ୍ ରୁମରେ ତୁନିଶା ଆତ୍ମହତ୍ୟା କରିଥିଲେ। ତାଙ୍କୁ ମେକଅପ୍ ରୁମ୍ରେ ଝୁଲିବା ଅବସ୍ଥାରେ ଦେଖିବାକୁ ମିଳିଥିଲା। ଘଟଣାରେ ତାଙ୍କର ବୟଫ୍ରେଣ୍ଡ ତଥା ସହକର୍ମୀ ଶିଜାନ ଖାନଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ ଗିରଫ କରାଯାଇଛି।
ତୁନିଶାଙ୍କ ମାମୁଁ ପବନ ଶର୍ମା କହିଛନ୍ତି, ମୋ ହିସାବରେ ଏହା ଶତ ପ୍ରତିଶତ ଲଭ୍ ଜିହାଦ ମାମଲା। ମୁଁ ଚାହୁଁଛି ପୋଲିସ ଏହି ଦିଗରେ ହିଁ ମାମଲାର ତଦନ୍ତ କରୁ। ଆମେ ଚାହୁଁ ପୋଲିସ ସବୁ ଦିଗରେ ଘଟଣାର ତଦନ୍ତ କରୁ। ଆମେ ସ୍ପଷ୍ଟ ନାହୁଁ ଯେ ଏହା ଆତ୍ମହତ୍ୟା ନା ଆଉ କଣ। ଏହା ପୂର୍ବର ଭିଡିଓ ରେକର୍ଡିଂ ବି ମିଳିନାହିଁ।
ପୋଲିସ୍ ଏହାକୁ କେମିତି ଆତ୍ମହତ୍ୟା ବୋଲି କହୁଛି ବୋଲି ତୁନିଶାଙ୍କ ମାମୁଁ ପ୍ରଶ୍ନ କରିଛନ୍ତି। ପୋଲିସ୍ ପ୍ରଶାସନ କେମିତି ବିନା ତଦନ୍ତରେ ଏହା ଏକ ଆତ୍ମହତ୍ୟା କେସ୍ ବୋଲି ଦାବି କରୁଛନ୍ତି। ପ୍ରଥମେ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉ। ତା ପରେ ଯାଇ ଜଣାପଡିବ ଯେ, ଏହା ଆତ୍ମହତ୍ୟା ନା ଲଭ ଜିହାଦ ବୋଲି ତୁନିଶାଙ୍କ ମାମୁଁ କହିଛନ୍ତି। କେବଳ ଏତିକି ନୁହେଁ ପୋଲିସ୍ ତୁନିଶାଙ୍କ ପରିବାର ସଦସ୍ୟଙ୍କ ବୟାନ ଏ ପର୍ଯ୍ୟନ୍ତ ନେଇ ନାହିଁ।