୬୧୫ ଏକରରେ ବ୍ୟାପ୍ତ HALଙ୍କ ଏସିଆର ସର୍ବ ବୃହତ୍ତ ଫ୍ୟାକ୍ଟ୍ରି, ପ୍ରତିବର୍ଷ ଉତ୍ପାଦନ କରିବ ୯୦ଟି ହେଲିକପ୍ଟର
7/02/2023 at 5:55 PM

ତୁମକୁରୁ୭।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର କର୍ଣ୍ଣାଟକ ତୁମୁକୁରୁ ଜିଲ୍ଲାରେ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ (ଏଚଏଏଲ)ଙ୍କ ଦେଶର ସର୍ବ ବୃହତ୍ତ ହେଲିକପ୍ଟର ଫ୍ୟାକ୍ଟ୍ରିକୁ ଉଦଘାଟନ କରିଛନ୍ତି। ଗୁବ୍ବି ତାଲୁକରେ ସ୍ଥାପିତ ଏଚଏଏଲଙ୍କ ଏହି ଫ୍ୟାକ୍ଟ୍ରି ୨୦ ବର୍ଷରେ ୪ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ମୋଟ କାରବାର ସହିତ ୩ରୁ ୧୫ ଟନ୍ ରେଞ୍ଜର ୧ ହଜାରରୁ ଅଧିକ ହେଲିକପ୍ଟରର ଉତ୍ପାଦନ ଲାଗି ଯୋଜନା ପ୍ରସ୍ତୁତ କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଫ୍ୟାକ୍ଟ୍ରି ଲାଗି ୨୦୧୬ ମସିହାରେ ଶିଳାନ୍ୟାସ କରିଥିଲେ। ଏହି ଫ୍ୟାକ୍ଟ୍ରିଟି ମୋଟ ୬୧୫ ଏକର ଜମିଉପରେ ସ୍ଥାପିତ ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏଥିରୁ ଲାଇଟ୍ ୟୁଟିଲିଟି ହେଲିକପ୍ଟର (ଏଲୟୁଏଚ୍)ଉତ୍ପାଦନ ହେବ। ଏହି କେନ୍ଦ୍ରରେ ଭାରତ ନିଜର ହେଲିକପ୍ଟରର ସମ୍ପୂର୍ଣ୍ଣ ଆବଶ୍ୟକତା ସ୍ୱଦେଶୀ ରୂପେ ପୁରଣ କରିବା ସହିତ ହେଲିକପ୍ଟର ଡିଜାଇନ, ବିକାଶ ଓ ନିର୍ମାଣରେ ଆତ୍ମନିର୍ଭର ହେବାର ଗୌରବ ମଧ୍ୟ ହାସଲ କରିବ।

ଏହି ଉଦଘାଟନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନେରେନ୍ଦ୍ର ମୋଦିଙ୍କ ସହ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହା ଏକ ସମର୍ପିତ ଗ୍ରୀନଫିଲ୍ଡ ହେଲିକପ୍ଟର ଫ୍ୟାକ୍ଟ୍ରି ବୋଲି କହିଥିଲେ। ଯାହା ହେଲିକପ୍ଟର ନିର୍ମାଣରେ ଭାରତର କ୍ଷମତା ଓ ପାରିସ୍ଥିତିକ ତନ୍ତ୍ର (ଇକୋ ସିଷ୍ଟମ)କୁ ଅଭିବୃଦ୍ଧି ଦେବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଏଚଏଏଲଙ୍କ ନିର୍ମିତ ଏକ ଏଲୟୁଏଚ୍କୁ ଲୋକାର୍ପିତ କରିଛନ୍ତି।
ପ୍ରତିରକ୍ଷା ମନ୍ତ୍ରାଳୟଙ୍କ ଏଲୟୁଏଚ୍ ସ୍ୱଦେଶୀ ରୂପେ ଡିଜାଇନ ଓ ବିକଶିତ ହୋଇଥିବା ୩ ଟନ ବର୍ଗର ସିଙ୍ଗଲ ଇଞ୍ଜିନ ବହୁ ଉଦ୍ଦେଶୀୟ ୟୁଟିଲିଟି ହେଲିକପ୍ଟର ବୋଲି କହିଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ଫ୍ୟାକ୍ଟ୍ରିରୁ ପ୍ରତିବର୍ଷ ୩୦ଟି ହେଲିକପ୍ଟର ଉତ୍ପାଦନ କରିବ ଯାହା ପର୍ଯ୍ୟାୟକ୍ରମେ ୬୦ ଓ ୯୦କୁ ବୃଦ୍ଧି ହେବ। ପରେ ଏଠାରୁ ଲାଇଟ୍ କମ୍ବାଟ୍ ହେଲିକପ୍ଟର (ଏଲସିଏଚ୍) ଓ ଇଣ୍ଡିଆନ ମଲ୍ଟିରୋଲ ହେଲିକପ୍ଟର (ଆଇଏମଆରଏଚ୍)ଭଳି ଅନ୍ୟ ହେଲିକପ୍ଟର ନିର୍ମାଣ ସହିତ ଭବିଷ୍ୟତରେ ଏଲସିଏଚ୍, ଏଲୟୁଏଚ୍, ସିଭିଲ ଏଏଲଏଚ ଏବଂ ଆଇଏମଆରଏଚ୍ର ମରାମତି ତଥା ଓଭର ହାଉଲ ଲାଗି ଫ୍ୟାକ୍ଟ୍ରିର ବିସ୍ତାର କରାଯିବ।
ଭବିଷ୍ୟତରେ ଫ୍ୟାକ୍ଟ୍ରିରୁ ସିଭିଲ ଏଲୟୁଏଚ୍ର ରପ୍ତାନୀ ମଧ୍ୟ ହୋଇପାରେ। ବେଙ୍ଗାଲୁରରେ ଏବେ ଉପଲବ୍ଧ ଏଚଏଏଲଙ୍କ ଫ୍ୟାସେଲିଟି ନିକଟରେ ଫ୍ୟାକ୍ଟ୍ରି ସ୍ଥାପନା ଯୋଗୁ କ୍ଷେତ୍ରରେ ଏରୋସ୍ପେସ୍ ମାନୁଫାକ୍ଚରିଂ ଇକୋ ସିଷ୍ଟମକୁ ମଧ୍ୟ ପ୍ରୋତ୍ସାହିତ ହେବ ବୋଲି କୁହାଯାଇଛି।