ମହାନଦୀ ଜଳ ବିବାଦର ମୂଳ କାରଣ ଛତିଶଗଡ, ଏକତରଫା ଓ ବେଆଇନ ଭାବେ ପାଣି ଅଟକାଉଛି : ଜଳ ସମ୍ପଦ ମନ୍ତ୍ରୀ
31/03/2023 at 1:35 PM

ଭୁବନେଶ୍ବର ୩୧।୩: ମହାନଦୀ ଜଳ ବିବାଦ ନେଇ ଗୃହରେ ବିବୃତି ରଖିଲେ ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ । ସେ କହିଛନ୍ତି, ମହାନଦୀ ଜଳ ବିବାଦର ମୂଳ କାରଣ ହେଉଛି ଛତିଶଗଡ଼ ଏକ ତରଫା ଓ ବେଆଇନ ଭାବେ ପାଣିକୁ ଅଟକାଉଛି । ୨୭.୪୮ ନିୟୁତ ଏକର ଫୁଟକୁ ବ୍ୟବହାର କରିବା ପାଇଁ ମସୁଧା କରୁଛି । ୬ଟି ବିଶାଳକାୟ ଶିଳ୍ପ ଭିତ୍ତିକ ବ୍ୟାରେଜ କରି ଜଳକୁ ଅବରୋଧ କରାଯାଉଛି । ଅଣ ମୌସୁମୀ ସମୟରେ ଜଳ ପ୍ରବାହ କମୁଛି ।
୨୦୦୦ମସିହାରେ ମୁଖ୍ୟମନ୍ତ୍ରୀ ଏ ନେଇ ଅବଗତ କରିଥିଲେ । ଓଡିଶା ପାଇଁ ୨ ନିୟୁତ ଏକର ଫୁଟ ପାଣି ଛାଡିବାକୁ କହିଥିଲେ । ଏ ନେଇ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ବି କୌଣସି ସୁଫଳ ମିଳିଲା ନାହିଁ । ଏବେ ଟ୍ରିବ୍ୟୁନାଲକୁ ଆମେ ଯାଇଛୁ । ଗୃହର ସମସ୍ତଙ୍କୁ ଅନୁରୋଧ କରୁଛୁ ସମସ୍ତେ ଏହି ବିବାଦର ସମାଧାନ ପାଇଁ ଆମକୁ ସହଯୋଗ କରନ୍ତୁ ।