ଇଣ୍ଡୋନେସିଆ ସୁମାତ୍ରାରେ ୭.୪ ତୀବ୍ରତାର ଭୂମିକମ୍ପ, ସୁନାମୀ ଆଶଙ୍କା
2/08/2019 at 6:28 PM

ଜାକାର୍ତ୍ତା ୨।୮: ଦକ୍ଷିଣ-ପଶ୍ଚିମ ଇଣ୍ଡୋନେସିଆ ସୁମାତ୍ରା ଅଞ୍ଚଳରେ ଶୁକ୍ରବାର ଭୂମିକମ୍ପ ଅନୁଭୂତ ହୋଇଛି। ସ୍ଥାନୀୟ ସମୟ ସନ୍ଧ୍ୟା ୭ଟାରେ ଅନୁଭୂତ ହୋଇଥିବା ଏହି କମ୍ପନର ତୀବ୍ରତା ରିକ୍ଟର ସ୍କେଲରେ ୭.୪ ମପା ଯାଇଛି। ଭୂମିକମ୍ପର ଉତ୍ପତି ସ୍ଥଳ ସମର ଉପକୂଳରୁ ୧୦ କିଲୋମିଟର ସମୁଦ୍ର ତଳେ ଥିବା ଇଣ୍ଡୋନେସିଆ ପାଣିପାଗ ଓ ଭୂ-ଗର୍ଭିୟ ସର୍ଭେକ୍ଷଣ ବିକେଏମଜି ସୂଚନା ଦେଇଛନ୍ତି। ଏଣୁ ସମୁଦ୍ରରେ ଉଚ୍ଚ ତରଙ୍ଗ ସୃଷ୍ଟି ହେବାର ଆଶଙ୍କା କରାଯାଉଥିବା ବେଳେ ପଶ୍ଚିମ ଜାଭା ଉପକୂଳରେ ସୁନାମୀ ସତର୍କତା ଜାରୀ ହୋଇଛି।

ପଶ୍ଚିମ ଜାଭା ଉପକୂଳର ବାଣ୍ଟେନ, ଲାମ୍ପଙ୍ଗ ଓ ବେଙ୍ଗକୁଲୁ ପାଇଁ ଏହି ସତର୍କତା ଜାରି ହୋଇଥିବା ବେଳେ ବାଣ୍ଟେନ ଉପକୁଳର ତଳିଆ ଅଞ୍ଚଳରୁ ଲୋକଙ୍କୁ ଖାଲି କରିଦିଆଯାଇଛି। ଭୂମିକମ୍ପର ପ୍ରଭାବ ୧୭୪ କିଲୋମିଟର ଦୂର ରାଜଧାନୀ ଜାକାର୍ତ୍ତାରେ ମଧ୍ୟ ଲୋକେ ଅନୁଭବ କରିଛନ୍ତି। ତେବେ ଭୂମି କମ୍ପଜନିତ କ୍ଷୟକ୍ଷତି ନେଇ ଅଚାନକ କୌଣସି ସୂଚନା ମିଳିନଥିବା ଇଣ୍ଡୋନେସିଆ ବିପର୍ଯ୍ୟୟ ପ୍ରଶମନ ପରିଚାଳନା କର୍ତ୍ତୃପକ୍ଷ କହିଛନ୍ତି।

ଇଣ୍ଡୋନେସିଆରେ ଭୂମିକମ୍ପ ସାଧାରଣ ଘଟଣା। ଏଠାକାର ଭୌଗଳିକ ସଂରଚନା ହିଁ ଏହି ଭଳି। ପେସିଫିକ ରିଙ୍ଗ ଅଫ ଫାୟାର୍ସ ବୋଲି କୁହାଯାଉଥିବା ଦେଶରେ ରହିଛି ୩୫ଟି ଜ୍ୱଳାମୁଖୀ। ଏଣୁ ପ୍ରାୟତଃ ଭୂମିକମ୍ପ ଅନୁଭୂତ ହେଉଥିବା ଏକ ବିଶ୍ୱର ଏକ ବିରଳ ଦେଶ। ଗତ ୨୦୧୮ ମସିହାରେ ଭୂମିକମ୍ପ ଓ ପରବର୍ତ୍ତି ସୁନାମୀ ଯୋଗୁ ସୁଣ୍ଡାଷ୍ଟ୍ରେଟରେ ଭିଷଣ କ୍ଷୟକ୍ଷତି ହୋଇଥିଲା। ତା ପରେ ପରେ ମଧ୍ୟ ସମ୍ପୃକ୍ତ ଅଞ୍ଚଳରେ ଅନେକ କମ୍ପନ ଅନୁଭୂତ ହେଲାଣି। ତେବେ ଶୁକ୍ରବାର ସମୁଦ୍ର ତଳେ ଭୂମିକମ୍ପର ଉତ୍ପତି ସ୍ଥଳ ଥିବାରୁ ଉଚ୍ଚ ସତର୍କତା ଅବଲମ୍ବନ କରାଯାଉଛି।