ଭାନୁଅତୁ ଦ୍ୱୀପପୁଞ୍ଜରେ ୭.୨ ତୀବ୍ରତାର ଭୂମିକମ୍ପ, ସୁନାମୀ ଚେତାବନୀ ଜାରି

Published By : Prameya-News7 Bureau | January 08, 2023 IST

ନୂଆଦିଲ୍ଲୀ: ପ୍ରଶାନ୍ତ ମହାସାଗରର ଭାନୁଅତୁ ଦ୍ୱୀପପୁଞ୍ଜରେ ରବିବାର ୭.୨ ତୀବ୍ରତାର ଭୂମିକମ୍ପ ଅନୁଭବ ହୋଇଛି । ଏହାପରେ ଆଖପାଖର ସମୁଦ୍ରିକ ଅଞ୍ଚଳରେ ସୁନାମୀ ଚେତାବନୀ ଜାରି କରାଯାଇଛି । ଆମେରିକାର ଭୂଗର୍ଭ ବିଜ୍ଞାନ ସର୍ଭେକ୍ଷଣ ଏହି ସୂଚନା ଦେଇଛି । ସଂସ୍ଥା ଅନୁସାରେ, ଭୂମିକମ୍ପର କେନ୍ଦ୍ର ପୋର୍ଟ ଓଲରୀଠାରୁ ପ୍ରାୟ ୨୩ କିଲୋମିଟର ଦୂର ୨୭ ମିଟର ଗଭୀରରେ ଥିଲା । ପେସିଫିକ୍ ସୁନାମୀ ୱାର୍ଣ୍ଣିଂ ସେଣ୍ଟର ଏହି କେନ୍ଦ୍ରର ୩୦୦ କିଲୋମିଟର ପରିଧିରେ ଥିବା ଉପକୂଳ ପାଇଁ ସୁନାମୀ ଚେତାବନୀ ଜାରି ରହିଛି । ତେବେ ବର୍ତ୍ତମାନ ସୁଦ୍ଧା ଧନଜୀବନ କ୍ଷତି ନେଇ କୌଣସି ସୂଚନା ମିଳିପାରି ନାହିଁ ।

ଭାନୁଅତୁରେ ପ୍ରାୟ ୨,୮୦,୦୦୦ ଲୋକେ ବସବାସ କରୁଛନ୍ତି । ଏବଂ ଏଠାରେ ପ୍ରାକୃତିକ ବିପର୍ଯ୍ୟୟର ବିପଦ ରହିଥାଏ । ଏହି ଦ୍ୱୀପ ସମୁହରେ ଅଧା ଡର୍ଜନ ଅଗ୍ନେୟଗିରି ସକ୍ରିୟ ରହିଛି । ନିୟମିତ ରୂପେ ଏଠାରେ ବାତ୍ୟା ଏବଂ ଭୂମିକମ୍ପ ହୋଇଥାଏ । ଏହି ପୂରା ଅଞ୍ଚଳ ପ୍ରଶାନ୍ତ ରିଙ୍ଗ ଅଫ୍ ଫାୟାରରେ ରହିଛି । ଏଥିରେ ନ୍ୟୁଜିଲାଣ୍ଡ, ଜାପାନ, ଚିଲି, ଇକ୍ୱାଡୋର, ପେରୁ, କୋଷ୍ଟାରିକା, ଗ୍ୱାଟେମାଲା, ମେକ୍ସିକୋ, ଆମେରିକା, କାନାଡା, ରୁଷ, ଫିଲିପିନ୍ସ, ଅଷ୍ଟ୍ରେଲିଆ, ପାପୁଆ ନ୍ୟୁ ଗିନି, ଇଣ୍ଡୋନେସିଆ ଏବଂ ଅଣ୍ଟାର୍କଟିକା ସାମିଲ ରହିଛି ।

ପୃଥିବୀରେ ଥିବା ୭୫ ପ୍ରତିଶତ ଜ୍ୱଳାମୁଖୀ ଏହି ରିଙ୍ଗ ଅଫ୍ ଫାୟାରରେ ରହିଛି । ପୃଥିବୀର ୯୦ ପ୍ରତିଶତ ଭୂମିକମ୍ପ ଏହି ଅଞ୍ଚଳରେ ହୋଇଥାଏ । ରିଙ୍ଗ ଅଫ୍ ଫାୟାରର ଅଞ୍ଚଳର ଅନେକ ଟେକ୍ଟୋନିକ ପ୍ଲେଟରେ ବ୍ୟାପିଛି । ଅନୁମାନ ଅନୁସାରେ ଏହା ୪୦,୦୦୦ କିଲୋମିଟରରେ କ୍ଷେତ୍ରରେ ବ୍ୟାପ୍ତ । ଟେକ୍ଟୋନିକ ପ୍ଲେଟ୍ ଗୁଡିକ ପରସ୍ପର ମଧ୍ୟରେ ଧକ୍କା ହେବା ଯୋଗୁଁ ଏହି ଅଞ୍ଚଳର ଭୂଗର୍ଭ ଲଗାତାର ସକ୍ରିୟ ରହିଥାଏ । ୨୦୦୪ ଡିସେମ୍ୱର ୨୪ରେ ଭାରତରେ ହୋଇଥିବା ସୁନାମୀ ଏହି ଟେକ୍ନୋଟିକ୍ ପ୍ଲେଟ ଗୁଡିକ ଯୋଗୁଁ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.