ଶସ୍ତା ହେଲା ସୁନା ଓ ରୂପା, ଆଗକୁ ହୋଇପାରେ ଆହୁରି ଦର ହ୍ରାସ!

Published By : Prameya-News7 Bureau | November 07, 2024 IST

ନୂଆଦିଲ୍ଲୀ ୭।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ସହ ଦିଲ୍ଲୀରୁ ଆରମ୍ଭ କରି ନ୍ୟୁୟର୍କ ପର୍ଯ୍ୟନ୍ତ ସୁନା ମୂଲ୍ୟରେ ହ୍ରାସ ଦେଖାଯାଇଛି। ଏଥିରେ ଦିଲ୍ଲୀ ସ୍ୱର୍ଣ୍ଣାଳଙ୍କର ବଜାରରେ ଗୁରୁବାର ମାମୁଲି ହ୍ରାସ ହୋଇଥିବା ବେଳେ ନ୍ୟୁୟର୍କ ଫ୍ୟୁଚର ମାର୍କେଟର କମେକ୍ସ ବଜାର ଓ ଭାରତର ଫ୍ୟୁଚର ମାର୍କେଟରେ ସୁନା ଓ ରୂପା ମୂଲ୍ୟରେ ବଡ଼ ହ୍ରାସ ହୋଇଛି। ବିଶେଷଜ୍ଞଙ୍କ ଅନୁସାରେ ଟ୍ରମ୍ପଙ୍କ ବିଜୟ ଯୋଗୁ ଡଲାର ଇଣ୍ଡେକ୍ସ ଉପରକୁ ଉଠିଛି। ଏଣୁ ଗୋଲ୍ଡ ଓ ସିଲଭରରେ ହ୍ରାସ ଦେଖାଯାଉଛି। 

ଆକଳନ କରାଯାଉଛି ଫେଡେରାଲ ରିଜର୍ଭ ସୁଧହାରକୁ ଅପେକ୍ଷାକୃତ କମ ଅର୍ଥାତ ୦.୨୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିପାରନ୍ତି। ଏଣୁ ସୁନା ମୂଲ୍ୟ ଉପରେ ଏବେ ଚାପ ପଡିଛି। ଦିଲ୍ଲୀ ସ୍ୱର୍ଣ୍ଣାଳଙ୍କାର ବଜାରରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ମୂଲ୍ୟରେ ୧୫୦ ଟଙ୍କା ହ୍ରାସ ସହ ୮୧,୧୫ ଟଙ୍କା ଦରରେ କାରବାର ହେଉଛି। ଏହି ସମୟରେ ରୂପା ମୂଲ୍ୟ ୯୬,୭୦୦ ଟଙ୍କାରେ ସ୍ଥିର ରହିଛି। ତେବେ ଭାରତରେ ମଲ୍ଟି କମଡିଟି ଏକ୍ସଚେଞ୍ଜ (ଏମସିଏକ୍ସ) ରେ ସୁନା ପାଖାପାଖି ୧୫ଶହ ଟଙ୍କା ହ୍ରାସ ସହ ପ୍ରତି ୧୦ ଗ୍ରାମ ୭୭,୦୫୪ ଟଙ୍କାରେ ଟ୍ରେଡ କରୁଛି। 

ସେହିପରି ରୂପା ୩,୨୭୭ ଟଙ୍କା ହ୍ରାସ ସହ ପ୍ରତି କେଜି ୯୧,୩୭୧ ଟଙ୍କାରେ ଟ୍ରେଡ କରୁଛି। ଅନ୍ତର୍ଜାତୀୟ ସ୍ତରରେ ନ୍ୟୁୟର୍କର କମେକ୍ସ ମାର୍କେଟରେ ସୁନା ମୁଲ୍ୟରେ ୨.୧୨ ପ୍ରତିଶତ ହ୍ରାସ ସହ ଆଉନ୍ସ ପିଛା ଦର ୨,୬୯୧.୫୦ ଡଲାରରେ କାରବାର କରୁଥିବାବେଳେ ରୂପା ମୂଲ୍ୟରେ ୩.୭୧ ପ୍ରତିଶତ ହ୍ରାସ ଯୋଗୁ ପ୍ରତି ଆଉନ୍ସ ୩୨.୫୬ ଡଲାର ଦରରେ ଟ୍ରେଡ କରୁଛି। ଆମେରିକୀୟ ଡଲାର ମଜଭୁତ ହେବା ଯୋଗୁ ସୁନା ମୂଲ୍ୟ ଏପରି ତଳଉପର ହେବ ବୋଲି ବିଶେଷଜ୍ଞ କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.