ଭଲ ସମ୍ପର୍କରେ ଜହର ଘୋଳିଲେ ଚୀନ୍ଫିଙ୍ଗ, ‘ଚୀନ୍ ଭୂତାଣୁ’କୁ ଭୁଲିପାରିବିନି କହିଲେ ଟ୍ରମ୍ପ
26/09/2020 at 4:46 PM

ଭର୍ଜିନିଆ: ୩ ନଭେମ୍ବର ରାଷ୍ଟ୍ରପତି ନିର୍ବାଚନ ଲାଗି ପ୍ରଚାର ଅଭିଯାନ ଜୋରଦାର କରିଛନ୍ତି ରିପବ୍ଲିକାନ ପ୍ରାର୍ଥୀ ତଥା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହି କ୍ରମରେ ସେ ନ୍ୟୁପୋର୍ଟ ଭର୍ଜିନିଆରେ ଅନୁଷ୍ଠିତ କ୍ୟାମ୍ପେନକୁ ସମ୍ବୋଧିତ କରି ଚୀନ୍ରୁ ବ୍ୟାପିଥିବା କରୋନା ଭାଇରସ ସଂକ୍ରମଣକୁ ଜୀବନରେ କେବେବି ଭୁଲିପାରିବେନି ବୋଲି କହିଛନ୍ତି। ଆମେରିକୀୟ ଅର୍ଥବ୍ୟବସ୍ଥା ନିଜଗୋଡରେ ଛିଡାହୋଇ ଚାଲିବାକୁ ଲାଗିବା ବେଳେ ଚୀନ୍ ଭୂତାଣୁ ଏହାକୁ ଧରାଶାୟୀ କରିଦେଇଛି। ଯଦି ନିର୍ବାଚନରେ ଦେଶବାସୀ ତାଙ୍କୁ ପୁଣି ଥରେ ସମର୍ଥନ କରନ୍ତି ତେବେ ଆଗାମୀ ଦିନରେ ସେ ଆମେରିକାର ଚୀନ୍ ନିର୍ଭରତାକୁ ସବୁଦିନ ଲାଗି ସମାପ୍ତ କରିଦେବେ ବୋଲି ଘୋଷଣା କରିଛନ୍ତି।

ଚୀନ୍ ଭୂତାଣୁ ଯୋଗୁ ୨ ଲକ୍ଷରୁ ଅଧିକ ଆମେରିକୀୟଙ୍କ ମୃତ୍ୟୁ ହେଲାଣି। ଲୋକଙ୍କ ଜୀବନ ବଞ୍ଚାଇବାକୁ ଆମକୁ ଲକଡାଉନ୍ କରିବାକୁ ପଡିଥିଲା। ଫଳରେ ଲକ୍ଷଲକ୍ଷ ଲୋକେ ବୃତ୍ତି ହରାଇଥିବା ବେଳେ ଅର୍ଥବ୍ୟବସ୍ଥା ଧୂଳିସାତ ହୋଇଯାଇଛି। ଯଦି ଜନତା ପୁଣି ଥରେ ଆସ୍ଥା ସ୍ଥାପନ କରନ୍ତି ଆଗାମୀ ୪ ବର୍ଷରେ ଆମେରିକାକୁ ଦୁନିଆରେ ନବନିର୍ମାଣର ମହାଶକ୍ତି ଭାବେ ଗଢି ତୋଳିବେ ବୋଲି ଘୋଷଣା କରିଛନ୍ତି ଟ୍ରମ୍ପ। ତେବେ କରୋନା ଭାଇରସ ପରେ ଚୀନ୍ ସହ ସମ୍ପର୍କକୁ ସେ ଆଉ ଏତେଟା ଗୁରୁତ୍ୱ ଦେଉନଥିବା କହିଛନ୍ତି।

ଚୀନ୍ ସହ ଆମେରିକାର ସମ୍ପର୍କ ବହୁତ ଭଲ ଥିଲା। ରାଷ୍ଟ୍ରପତି ଚୀନଫିଙ୍ଗ (ଜିନପିଙ୍ଗ)ଙ୍କ ସହ ମଧ୍ୟ ସମ୍ପର୍କ ଖରାପ ନଥିଲା। ଆମେ ଦ୍ୱିପାକ୍ଷୀକ ବ୍ୟବସାୟ ଲାଗି ଏକ ଉତ୍ତମ ବୁଝାମଣା ମଧ୍ୟ କରିଥିଲୁ। ବଦଳରେ ଚୀନ୍ ଆମକୁ ମହାମାରୀ ଦେଲା। ଏଣୁ ଚୀନ୍ ସହ ହୋଇଥିବା ବ୍ୟବସାୟୀକ ରାଜିନାମାର ଏବେ ଆଉ କୌଣସି ଅର୍ଥ ଅଛିକି ବୋଲି ଟ୍ରମ୍ପ ନାଗରିକଙ୍କୁ ପଚାରିଥିଲେ। ଖାସ୍ ଏଥିଲାଗି ଏହି ରାଜିନାମା ନେଇ ସେ ଦ୍ୱିତୀୟବାର ଆଲୋଚନାକୁ ଅଗ୍ରାହ୍ୟ କରିଦେଇଥିବା କହିଛନ୍ତି। ଚଳିତବର୍ଷ ପ୍ରାରମ୍ଭରେ ଆମେରିକା ଓ ଚୀନ୍ ଏକ ବ୍ୟବସାୟିକ ରାଜିନାମା କରିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟ ବୁଝାମଣାରେ ଡୋନାଲ୍ଡ ଟ୍ରମ୍ପ ସ୍ୱାକ୍ଷର କରିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ହିଁ ହୋଇ ନାହିଁ।