ବେଧଡ଼କ ଚାଲିଥିଲା ବେଆଇନ୍ ଗୋରୁଚାଲାଣ : ଟ୍ରକକୁ ଧରି ପୋଲିସ ଜିମାଦେଲେ ସ୍ଥାନୀୟ ଯୁବକ, ୨ ଗିରଫ
1/12/2020 at 2:59 PM

ଆନନ୍ଦପୁର ୦୧।୧୨: ବେଆଇନ୍ ଗୋରୁଚାଲାଣ ବେଳେ ଟ୍ରକ୍କୁ ଧରି ପୋଲିସ ଜିମା ଦେଲେ ସ୍ଥାନୀୟ ବାସିନ୍ଦା । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ହସନପୁର ଟୋଲ୍ ଗୋଟ୍ ନିକଟରେ ଗାଡିକୁ ଜବତ କରାଯାଇଛି । ଘଟଣାରେ ୨ଜଣଙ୍କୁ ଗିରଫ କରିଛି ପୋଲିସ ।

ଖବର ଅନୁଯାୟୀ, ଏକ ୧୨ଚକିଆ ଟ୍ରକରେ ପ୍ରାୟ ୫୧ଟି ଗୋରୁ ବେଆଇନ ଭାବେ ବାହାରକୁ ଚାଲାଣ କରାଯାଉଥିଲା । ସ୍ଥାନୀୟ ଯୁବକମାନେ ଚୋରାଚାଲାଣର ଖବର ପାଇ ହସନପୁର ଟୋଲ୍ ଗେଟ୍ ନିକଟରେ ଟ୍ରକକୁ ଅଟକ ରଖିଥିଲେ । ଏହାପରେ ରାମଚନ୍ଦ୍ରପୁର ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଟ୍ରକକୁ ଜବତ କରିବା ସହ ୨ଜଣଙ୍କୁ ଅଟକ ରଖି ପଚାଉଚରା ଜାରି ରଖିଛି ।

ଜବତ ହୋଇଥିବା ଗାଡିର ଡ୍ରାଇଭର ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଞ୍ଚଳର ରେଜୋ ଖାନା ଓ ହେଲପର ଅବଦୁଲ୍ ରେହମାନଙ୍କୁ ଗିରଫ କରିଛି ପୋଲିସ୍ । ଯାଜପୁର ଜିଲ୍ଲା ଡୁବୁରୀ ଅଞ୍ଚଳରୁ ଏହି ଗୋରୁଙ୍କୁ ନେଇ ପ୍ରଥମେ ମୟୁରଭଞ୍ଜର ରାଇରଙ୍ଗପୁର ଏବଂ ପରେ କୋଲକାତା ଚାଲାଣ କରୁଥିବା ସୂଚନା ରହିଛି । ନିୟମିତ ଭାବେ ଏହି ରାସ୍ତାଦେଇ ଗୋରୁ ଚାଲାଣ ହେଉଥିଲେ ମଧ୍ୟ ପୋଲିସ୍ ଓ ପ୍ରଶାସନର ନୀରବତାକୁ ନେଇ ପ୍ରଶ୍ନ ଉଠିଛି ।