suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଟ୍ରକରେ କୋଇଲା ପରିବହନ କାମ ମିଳୁନି, ଝାରସୁଗୁଡାର ୨୫୦୦ ଟ୍ରକ୍ ମାଲିକ ସଙ୍କଟରେ, ୪୦ ହଜାର ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ

6/11/2020 at 4:45 PM

ଝାରସୁଗୁଡା, ୦୬୧୧ଝାରସୁଗୁଡା ଜିଲ୍ଲାରେ ଟ୍ରକ ମାଲିକଙ୍କ ଆର୍ଥିକ ସ୍ଥିତି ଦୋହଲିବାରେ ଲାଗିଛି । ପ୍ରାୟ ୪୦ ହଜାର ଲୋକ ଏହି ଆର୍ଥିକ ଦୁଃସ୍ଥିତିର ସାମନା କରୁଛନ୍ତି ।ଏମସିଏଲ କୋଇଲା ଖଣିରୁ ସିଧାସଲଖ ଟ୍ରେନରେ କୋଇଲା ପରିବହନ ହେଉ ଥିବାରୁ ଟ୍ରକ ମାଲିକଙ୍କ ଅବସ୍ଥା ଏପରି ହୋଇଛି |

ଝାରସୁଗୁଡା ଜିଲ୍ଲାର ବ୍ରଜରାଜନଗର,ଲଖନପୁର,ବନ୍ଧବାହାଲ ଅଞ୍ଚଳରେ ରହିଥିବା ଏମସିଏଲ କୋଇଲା ଖଣିରେ ଦଶନ୍ଧି ଦଶନ୍ଧି ଧରି ଟ୍ରକରେ କୋଇଲା ପରିବହନ କରାଯାଉଛି । ଯାହାଦ୍ୱାରା ଝାରସୁଗୁଡା,ବ୍ରଜରାଜନଗର,ବେଲପାହଡ,ଗୁମାଡେରା ,ବନ୍ଧବାହାଲ ଓ ଲଖନପୁର ଅଞ୍ଚଳର ବେକାର ଯୁବକ ଯୁବତୀଙ୍କ ପାଇଁ ରୋଜଗାର ଯୋଗାଇବାର ଏହା ଏକ ପ୍ରମୁଖ ମାଧ୍ୟମ ସାଜିଛି ।ଜିଲ୍ଲାରେ ପ୍ରାୟ ୨୫ଶହ ଟ୍ରକ ମାଲିକ ରହିଥିବା ବେଳେ ୧୦ ହଜାରରୁ ଉର୍ଦ୍ଧ୍ୱ ଡ୍ରାଇଭର, ହେଲପର ସହ ଅନ୍ୟାନ୍ୟ ଗ୍ୟାରେଜ ମାଲିକଙ୍କ ପରିବାରକୁ ମିଶାଇ ୪୦ ହଜାର ଲୋକଙ୍କ ପେଟପାଟଣା ଏହି ବ୍ୟବସାୟ ଉପରେ ନିର୍ଭର କରେ । କିନ୍ତୁ ଗତ ମାର୍ଚ୍ଚ ମାସଠାରୁ ଏମସିଏଲରୁ ଟ୍ରକରେ କୋଇଲା ପରିବହନର ମାତ୍ରା କମି ଯାଇଥିବା ବେଳେ ରେଳ ଯୋଗେ କୋଇଲା ପରିବହନ ବଢିଛି ।ଯାହାଫଳରେ ଟ୍ରକ ମାଲିକଙ୍କୁ ଦୈନିକ ରୋଡ୍ ସେଲରେ ମାଲ ପରିବହନ ପାଇଁ ସୁଯୋଗ ମିଳୁ ନଥିବାରୁ ଟ୍ରକ ବର୍ତ୍ତମାନ ଅକାମୀ ହେବା ଅବସ୍ଥାକୁ ଆସିଥିବା ବେଳେ ଅନେକ ଟ୍ରକ ମାଲିକ ଋଣରେ ଗାଡି ଆଣି ହରଡଘଣାରେ ପଡିଛନ୍ତି ।ଅନ୍ୟ ପକ୍ଷରେ ରୋଜଗାର ହରାଇଲେଣି ପ୍ରାୟ ୧୦ ହଜାର ଲୋକ ।ଏମସିଏଲର ଏହି ନୀତିକୁ ବିରୋଧ କରିଛି ମା ସମଲେଶ୍ଵରୀ ଟ୍ରକ ମାଲିକ ସଂଘ ଓ ବ୍ରଜରାଜନଗର କୋଲ୍ ମୁଭର୍ସ୍ ଆସୋସିଏସନ୍ ।ଉଭୟ ସଂଘ ପକ୍ଷରୁ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଏମସିଏଲ ନିଷ୍ପତ୍ତିର ପୁନର୍ବିଚାର କରି ଯଦି ଉତ୍ପାଦିତ କୋଇଲାର ଶତକଡା ୩୦ ଭାଗ କୋଇଲା ରୋଡସେଲ ପାଇଁ ଅନୁମତି ନଦିଏ ତେବେ ଏମସିଏଲର ଅର୍ଥନୈତିକ ଅବରୋଧ କରିବାକୁ ଘୋଷଣା କରିଛନ୍ତି ।

ଏମସିଏଲ କୋଇଲା ଖଣିରୁ ରୋଡ ସେଲ୍ କୋଇଲା ପରିବହନ ବନ୍ଦ ରହିବାରୁ ଟ୍ରକ ମାଲିକଙ୍କ ମଧ୍ୟରୁ ଅନେକେ ଦେବାଳିଆ ହୋଇ ପଡିଥିବା ବେଳେ ଆହୁରି ଅନେକ ଏହି ବ୍ୟବସାୟ ଉପରେ ନିର୍ଭରଶୀଳ ପରିବାର ଆର୍ଥିକ ଦୁସ୍ଥିତି ଦେଇ ଗତି କରୁଛନ୍ତି ।ଗତକାଲି ସଂଧ୍ୟାରେ ଟ୍ରକ ମାଲିକ ମାନେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ସମସ୍ତ ଅସୁବିଧା ସଂପର୍କରେ ସୂଚାଇବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସପ୍ତାହକ ମଧ୍ୟରେ ଏହି ଜିଲ୍ଲାରେ ରହିଥିବା ବିଭିନ୍ନ ଶିଳ୍ପସଂସ୍ଥାକୁ ଡାକି ବୈଠକ କରାଇ ସେମାନେ ଟ୍ରେନ୍ ବଦଳରେ ଟ୍ରକରେ କୋଇଲା ପରିବହନ ପାଇଁ କିପରି ରାଜିହେବେ ତାହା ବୁଝାଇ ସମସ୍ୟାର ସମାଧାନ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ।ଏହାସହ ଟ୍ରକ ମାଲିକଙ୍କ ସମସ୍ୟା ଜିଲ୍ଲାର ଏକ ଗୁରୁତର ଆର୍ଥିକ ସମସ୍ୟା ସୃଷ୍ଟି କରୁଥିବା ସ୍ୱୀକାର ମଧ୍ୟ କରିଛନ୍ତି ।

କରୋନା ପାଇଁ ସାରା ଦେଶର ଆର୍ଥିକ ପରିସ୍ଥିତି ଖରାପ ହେଉଥିବା ବେଳେ ଝାରସୁଗୁଡା ଜିଲ୍ଲାର ୨୫ଶହ ଟ୍ରକ ମାଲିକଙ୍କ ଦୁର୍ଗତି ଦେଖାଦେଇଛି ।ଏହି ସମସ୍ୟାର ତୁରନ୍ତ ସମାଧାନ ନହେଲେ ଜିଲ୍ଲାରେ ଅରାଜକତା ବଢିବା ଆଶଙ୍କା କରାଯାଉଛି ।

   Related Posts