ଯାଜପୁରରରେ ବଟି ପାଇଁ ଟ୍ରକ ଡ୍ରାଇଭରଙ୍କୁ ପିଟି ପିଟି ନିର୍ମମ ହତ୍ୟା
5/09/2018 at 11:07 AM

ଯାଜପୁର ୫/୯: ଯାଜପୁରରେ ବଟି ପାଇଁ ଟ୍ରକ ଡ୍ରାଇଭରକୁ ପିଟି ପିଟି ନିର୍ମମ ଭାବେ ହତ୍ୟା କଲେ ଦୁର୍ବୃତ୍ତ । ଯାଜପୁର କଳିଙ୍ଗନଗର ଶିଳ୍ପାଞ୍ଚଳ ମାନପୁର ରେଲୱେ ଓଭରବ୍ରିଜ ନିକଟରେ ଆଜି ଅପରାହ୍ନରେ ଘଟିଛି ଏଭଳି ଏକ ଅଭାବନୀୟ କାଣ୍ଡ । ମୃତ ଡ୍ରାଇଭର ଜଣକ ହେଉଛନ୍ତି ସୁକିନ୍ଦା ଥାନା ଜାମୁପଶି ଗାଁର ସନ୍ତୋଷ ଧଳ । ସେ ତାଳଚେରରୁ କୋଇଲା ଆଣି ଭଦ୍ରକରେ ଖଲାସ କରି ଘରକୁ ଫେରୁଥିବା ବାଟରେ ଯାଜପୁର ଯଖପୁରା ଥାନା ଅନ୍ତର୍ଗତ ମାନପୁର ଓଭରବ୍ରିଜ ନିକଟରେ ଗାଡି ରଖି ଗାଧୋଇବାକୁ ଯାଉଥିଲେ । ଠିକ୍ ସେତିକି ବେଳେ ୬ଜଣ ଦୁର୍ବୃତ୍ତ ଯୁବକ ବଟି ମାଗିବା ସହିତ ବିନା କାରଣରେ ତାଙ୍କ ସହିତ ପାଟିତୁଣ୍ଡ କରିଥିଲେ । ଏହାପରେ ଡ୍ରାଇଭରକୁ ସେମାନେ ସଂଘବଦ୍ଧ ଭାବେ ପଥର ଓ ଠେଙ୍ଗାରେ ଆକ୍ରମଣ କରିଥିଲେ । ଆକ୍ରମଣରେ ଡ୍ରାଇଭର ଚେତାଶୂନ୍ୟ ହୋଇପଡିଥିଲେ । ଗାଡିର ହେଲପର ସ୍ଥାନୀୟ ଲୋକଙ୍କ ସହଯୋଗରେ ଘଟଣାସ୍ଥଳରୁ ୧୦୮ ଆମ୍ବୁଲାନ୍ସରେ ତାଙ୍କୁ ଦାନଗଦୀ ଡାକ୍ତରଖାନାକୁ ନେଇଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ସ୍ଥଳରେ କଳିଙ୍ଗନଗର ଆଡିସନାଲ ଏସପି ପହଞ୍ଚି ଘଟଣାର ଅନୁସନ୍ଧାନ ଆରମ୍ଭ କରିଛନ୍ତି । ଏ ନେଇ ଯଖପୁରା ଥାନାରେ ଏକ ଲିଖିତ ଅଭିଯୋଗ ହେବା ପରେ ପୋଲିସ ମୃତଦେହ ଜବତ କରି ବ୍ୟବଛେଦ ନିମନ୍ତେ ଦାନଗଦୀ ମେଡିକାଲକୁ ପଠାଇଛି । ତେବେ ଏ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡିନଥିବା ଅତିରିକ୍ତ ଏସପି କହିଛନ୍ତି ।