ରାସ୍ତାରେ ଛିଡା ହୋଇଥିବା ଟ୍ରକ୍ ପଛରେ ଧକ୍କା ଦେଲା ଆଉ ଏକ ଟ୍ରକ୍ : ଡ୍ରାଇଭର ମୃତ, ଅଳ୍ପକେ ବର୍ତ୍ତିଲେ ହେଲ୍ପର
4/03/2023 at 11:26 AM

ବାସୁଦେବପୁର ୪।୩: ଭଦ୍ରକ ଜିଲ୍ଲା ବାସୁଦେବପୁର-ଧାମରା ରାସ୍ତାର ବାଲିମୁଣ୍ଡା ଛକ ନିକଟରେ ଟ୍ରକ୍କୁ ପଛପଟୁ ଆଉ ଏକ ଟ୍ରକ୍ ଧକ୍କା ଦେବା ଫଳରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ମୃତ ଡ୍ରାଇଭର ହେଲେ ଠାକୁରମୁଣ୍ଡା ଥାନା ଅନ୍ତର୍ଗତ କେନ୍ଦୁଜୁଆଣି ଗ୍ରାମର ସୁରେନ ମାହ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଧାମରା ଅଞ୍ଚଳକୁ ଲୁହା ପଥର ନେଇ ଆସିଥିବା ଏକ ଟ୍ରକ୍ ବାଲିମୁଣ୍ଡା ଛକ ନିକଟରେ ରାସ୍ତା ପାର୍ଶ୍ବରେ ଛିଡା କରି ବିଶ୍ରାମ ନେଇଥିଲା । ସେହିପଟରୁ ଆଉ ଏକ ଟ୍ରକ୍ କୌଣସି କାରଣରୁ ଭାରସାମ୍ୟ ହରାଇ ଉକ୍ତ ଛିଡା ହୋଇଥିବା ଟ୍ରକ୍କୁ ପଛରୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହେଲପର ସ୍ଥାନରେ ବିଶ୍ରାମ ନେଇଥିବା ଟ୍ରକ୍ ଡ୍ରାଇଭର ଭିତରେ ଚାପି ହୋଇଯାଇଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଗାଡି ଚଳାଉଥିବା ହେଲପର ଅଳ୍ପକେ ବର୍ତ୍ତିଯାଇଥିଲେ । ଖବର ପାଇ ନାୟକାଣିଡିହି ଥାନାର ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ଘଟଣାର ତଦନ୍ତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।