ଲାଞ୍ଚ ନଦେଲେ ଗାଡି ଗଡିବନି : ଟ୍ରକ ମାଲିକ ଓ ଡ୍ରାଇଭର ବର୍ଷକୁ ଦେଉଛନ୍ତି ୪୮ହଜାର କୋଟି ଟଙ୍କା ଉତ୍କୋଚ
29/02/2020 at 3:51 PM

ନୂଆଦିଲ୍ଲୀ ୨୯।୦୨: ଦେଶରେ ଲାଞ୍ଚ ନେଉଥିବା ମାମଲାରେ ଏକ ନୂତନ ତଥ୍ୟ ସାମ୍ନାକୁ ଆସିଛି । ଟ୍ରକ ଡ୍ରାଇଭର ଓ ମାଲିକ ପ୍ରତିବର୍ଷ ବିପୁଳ ପରିମାଣର ଲାଞ୍ଚ ଦେଉଛନ୍ତି । ଏହି ଲାଞ୍ଚ ଟ୍ରାଫିକ୍ ଓ ହାଇଓ୍ବେ ପୋଲିସ, ଟ୍ରାନ୍ସପୋର୍ଟ ଓ ଟ୍ୟାକ୍ସ ଅଧିକାରୀଙ୍କୁ ଦିଆଯାଉଛି । ଦେଶର ୧୦ଟି ପ୍ରମୁଖ ପରିବହନ ଓ ପାରଗମନ କେନ୍ଦ୍ରରେ କରାଯାଇଥିବା ସର୍ଭେରୁ ଜଣାପଡିଛି । ଏପରି କି ସ୍ଥାନୀୟ ପୂଜା ସମିତିର ସଦସ୍ୟ ଧମକ ଦେଇ ଟଙ୍କା ଆଦାୟ ମଧ୍ୟ କରୁଛନ୍ତି । କିଛି ଡ୍ରାଇଭରଙ୍କୁ ନେଇ କରାଯାଇଥିବା ସର୍ଭେ ମଧ୍ୟରୁ ୮୨ପ୍ରତିଶତ ଡ୍ରାଇଭର ଏହା ମାନିଛନ୍ତି ଯେ, ସେମାନଙ୍କ ଶେଷ ଯାତ୍ରାରେ କୌଣସି ନା କୌଣସି ଅଧିକାରୀଙ୍କୁ ଲାଞ୍ଚ ଦେଇଛନ୍ତି ।

ସଡ଼କ ସୁରକ୍ଷା ଓ ପରିବହନ ବିଭାଗରେ କାମ କରୁଥିବା ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେରେ କୁହାଯାଇଛି ଯେ, ଟ୍ରକ ଡାଇଭରମାନେ ବାର୍ଷିକ ୪୦ ହଜାର କୋଟି ଟଙ୍କା ଲାଞ୍ଚ ଦେଉଛନ୍ତି । ଏହା ଦ୍ୱାରା ସେମାନେ ଟ୍ରକ ନେଇ ଆଗାକୁ ଯାଇପାରିବେ । ଏଥିରେ ରାଜ୍ୟ ରାଜପଥ କର୍ତ୍ତୃପକ୍ଷଙ୍କ ଲୋକ, ଟ୍ରାଫିକ ପୋଲିସ ଓ ଆରଟିଓ ବିଭାଗରେ କାର୍ଯ୍ୟରତ ଅଧିକାରୀ ଏହି ଟଙ୍କା ଆଦାୟ କରୁଛନ୍ତି । ସେହିପରି ଟ୍ୟାକ୍ସ ସଂଗ୍ରହ କରୁଥିବା ସଂସ୍ଥାର କର୍ମଚାରୀମାନେ ଓ ଦୁର୍ବୃତ୍ତମାନଙ୍କ ଶିକାର ହେଉଛନ୍ତି ଟ୍ରକ ଚାଳକ ।

ସର୍ଭେରେ ୧୨୧୭ ଟ୍ରକ ଡ୍ରାଇଭର ଓ ୧୧୦ ଟ୍ରକ ମାଲିକ ସାମିଲ ଥିଲେ , ବର୍ତ୍ତମାନ ସମୟରେ ଚାଲିଥିବା ଭଷ୍ଟ୍ରାଚାର ବିଷୟରେ କହିଛନ୍ତି । ପ୍ରତି ଗସ୍ତରେ ପାଖାପାଖି ବିଭିନ୍ନ ଉପାୟରେ ୧୨୫୭ଟଙ୍କା ଲାଞ୍ଚ ଦେବାକୁ ପଡିଥାଏ । ରାଷ୍ଟ୍ରୀୟ ସ୍ତରରେ ୬୭ପ୍ରତିଶତ ଡ୍ରାଇଭର ଟ୍ରାଫିକ ବା ପୋଲିସ ଅଧିକାରୀଙ୍କୁ ଲାଞ୍ଚ ଦେଇଥାନ୍ତି । ଦେଶରେ ସବୁଠାରୁ ଅଧିକ ଭଷ୍ଟ୍ରାଚାର ଗୌହାଟିରେ ହେଉଛି ବୋଲି ରିପୋର୍ଟର ଆସିଛି । ଗୌହାଟିରେ ୯୭.୫ ପ୍ରତିଶତ ଡ୍ରାଇଭର ଲାଞ୍ଚ ଦେଉଥିବାର କଥା କହିଛନ୍ତି । ଏହାପରେ ୨ୟ ସ୍ଥାନରେ ଚେନ୍ନାଇର ୮୯ପ୍ରତିଶତ, ଦିଲ୍ଲୀ ୮୪.୪ ପ୍ରତିଶତ ସହ ୩ୟ ସ୍ଥାନରେ ରହିଛି ।

ସର୍ଭେରେ ୪୪ପ୍ରତିଶତ ଡ୍ରାଇଭରମାନେ ଆରଟିଓ ଅଫିସରଙ୍କୁ ଲାଞ୍ଚ ଦେଇଥିବା କଥା କହିଛନ୍ତି । ଏଥିରେ ବେଙ୍ଗାଲୁରୁ ସବୁଠାରୁ ଉପରେ ରହିଛି । ବେଙ୍ଗାଲୁରୁରେ ୯୪ ପ୍ରତିଶତ ଲାଞ୍ଚ ଦେବା କଥା ମାନିଛନ୍ତି ଡ୍ରାଇଭର । ଏହାପରେ ଗୌହାଟି ୯୩.୪ ପ୍ରତିଶତ ସହ ୨ୟ ସ୍ଥାନ ।

ସର୍ଭରେ ୪୭ ପ୍ରତିଶତ ଡ୍ରାଇଭର ଲାଇସେନ୍ସ ରିନ୍ୟୁ କରିବାକୁ ଲାଞ୍ଚ ଦେଇଥାନ୍ତି। ମୁମ୍ବାଇରେ ୯୩ ପ୍ରତିଶର ଡ୍ରାଇଭର(ଷ୍ଟଡିରେ ଭାଗ ନେଇଥିବା) ଲାଇସେନ୍ସ କରିବାପାଇଁ ଲାଞ୍ଚର ସାହାରା ନେଇଛନ୍ତି, ସେଭଳି ଗୌହାଟିର ୮୩ ପ୍ରତିଶତ ଓ ଦିଲ୍ଲୀ ଏନସିଆରର ୭୮ ପ୍ରତିଶତ ଲୋକ ଏଥିପାଇଁ ଲାଞ୍ଚ ନେଇଥାନ୍ତି। ଲାଞ୍ଚର ମୂଲ୍ୟ ସବୁଠାରୁ ଅଧିକ ଦିଲ୍ଲୀରେ(୨୦୨୫ଟଙ୍କା) ରହିଛି, ସେଭଳି ଡ୍ରାଇଭରମାନେ ଆଭରେଜ୍ ଅନୁସାରେ ୧୭୮୯ ଟଙ୍କା ଲାଞ୍ଚ ଦେଇଥାନ୍ତି।

ସଂସ୍ଥାର ରିପୋର୍ଟ ଅନୁସାରେ ଟ୍ରକ ଡାଇଭରମାନଙ୍କୁ ଦିନରେ ପାଖାପାଖି ୧୨ ଘଣ୍ଟା ଯାଏଁ ଟ୍ରକ ଚଳାଇବାକୁ ପଡ଼ିଥାଏ । ପାଖାପାଖି ୫୦ ପ୍ରତିଶତ ଡ୍ରାଇଭର କ୍ରମାଗତ ଭାବେ ଟ୍ରକ ଚଳାଇଥାନ୍ତି । ସେଥିପାଇଁ ସେମାନେ ଥକି ଯାଇଥାନ୍ତି । ସର୍ଭେରେ ସାମିଲ ପ୍ରତି ୫ ଜଣଙ୍କ ମଧ୍ୟରୁ ଜଣେ କୁହନ୍ତି, ନିଦ ପାଇଁ ସେମାନେ ଡ୍ରଗ୍ସ ସେବନ କରିଥାନ୍ତି । କୋଲକାତାରେ ଏଭଳି ଡ୍ରାଇଭରଙ୍କ ସଂଖ୍ୟା ଅଧିକ । ଏହା ପରେ ଉତ୍ତର ପ୍ରଦେଶର କାନପୁର ଏବଂ ଦିଲ୍ଲୀ-ଏନସିଆରର ଡ୍ରାଇଭରଙ୍କ ନମ୍ବର ଆସିଥାଏ ।