ଟିଆରପି ସ୍କାମ୍ : ୪ ଜଣିଆ କମିଟି ଗଠନ କଲେ କେନ୍ଦ୍ର ସରକାର, ଟେଲିଭିଜନ ରେଟିଂର ଗାଇଡଲାଇନ୍ସର ଅନୁଧ୍ୟାନ କରିବେ ଏହି ସ୍ୱତନ୍ତ୍ର ଟିମ୍
5/11/2020 at 4:07 PM

ନୂଆଦିଲ୍ଲୀ, ୦୫।୧୧: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଟିଆରପି ପ୍ରଣାଳୀ ବା ସିଷ୍ଟମରେ ପରିବର୍ତ୍ତନ ତଥା ପ୍ରଚଳିତ ଗାଇଡଲାଇନକୁ ଅନୁଧ୍ୟାନ କରିବା ପାଇଁ ଏକ ୪ ସଦସ୍ୟ ବିଶିଷ୍ଟ କମିଟି ଗଠନ କରିଛନ୍ତି । ଏହି କମିଟିର ଅଧ୍ୟକ୍ଷତା କରିବେ ପ୍ରସାର ଭାରତୀର ସିଇଓ ଶଶି ଏସ ବେମ୍ପ୍ୟାତୀ ।
ଏହି କମିଟିରେ ଆଇଆଇଟି କାନପୁରର ଷ୍ଟାଟିଟିକ୍ସ ପ୍ରଫେସର ଡ. ଶଲଭ, ଟଲିମେଟିକ୍ସର ବିକାଶ କେନ୍ଦ୍ରର କାର୍ଯ୍ୟକାରୀ ନିର୍ଦ୍ଦେଶକ ରାଜକୁମାର ଉପାଧ୍ୟକ୍ଷ ଓ ଆଇଆଇଏମ ବେଙ୍ଗାଲୁରୁର ସେଣ୍ଟ୍ର ଫର ପବ୍ଲିକ ପଲିସିର ପ୍ରଫେସର ପୁଲକ ଘୋଷ ମଧ୍ୟ ରହିଛନ୍ତି ।
ବୁଧବାର ଜାରି ହେଇଥିବା ନିର୍ଦ୍ଦେଶ ଅନୁସାରେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ କହିଛି ଯେ, ଦେଶର ଟେଲିଭିଜନ ରେଟିଂ ଏଜେନ୍ସିଙ୍କ ଗାଇଡଲାଇନକୁ ସଂସଦୀୟ କମିଟି, ଟେଲିଭିଜନ ରେଟିଂ ପଏଣ୍ଚ ଉପରେ ଗଠିତ ସମିତି ଓ ଟ୍ରାଇର ସୁପାରିଶ ପରେ ସୂଚନା ଦିଆଯାଇଛି । ମନ୍ତ୍ରାଳୟର କହିବାନୁସାରେ, କିଛି ବର୍ଷ ହେଲା ଯେଉଁ ନିୟମ ପାଲନ କରାଯାଉଛି, ତାହା ଉପରେ ପୁନଃବିଚାର କରାଯିବା ଉଚିତ । ତେଣୁ କମିଟି ଗଠନ କରାଯାଇଛି । ଟ୍ରାଇର ସୁପାରିଶ ତଥା ଟେକନିକ୍ ଓ ହସ୍ତକ୍ଷେପକୁ ଧ୍ୟାନରେ ରଖି ବିଶ୍ୱସ୍ତ ରେଟିଂ ପ୍ରଣାଳୀକୁ ଆହୁରି ମଜବୁତ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ।
ନୂଆ କମିଟି, ଟିଆରପି ପ୍ରଣାଳୀର ମୂଲ୍ୟାଙ୍କନ କରିବ । ଏହାସହ ଟ୍ରାଇର ସୁପାରିଶକୁ ମଧ୍ୟ ଯାଞ୍ଚ କରିବ । ଏହାସହ ଷ୍ଟେକ ହୋଲ୍ଡରଙ୍କ ହିତକୁ ମଧ୍ୟ ଧ୍ୟାନରେ ରଖାଯିବ । କମିଟି ପୁରୁଣା ନିୟମକୁ ପରିବର୍ତ୍ତନ କରିବା ସହ ଏକ ମଜବୁତ, ପାରଦର୍ଶୀ ଓ ସ୍ୱଚ୍ଛ ରେଟିଂ ପ୍ରଣାଳୀ ପାଇଁ ସୁପାରିଶ କରିବ ।
ସୂଚନାଯୋଗ୍ୟ, ଅକ୍ଟୋବର ପହିଲାରେ ଜାଲ୍ ଟିଆରପି ଦୁର୍ନୀତି ସାମ୍ନାକୁ ଆସିବା ପରେ ମନ୍ତ୍ରାଳୟ ଏହି ନିଷ୍ପତ୍ତି ନେଇଥିଲା । ମୁମ୍ବାଇର ପୋଲିସ କମିଶନର ପରମବୀର ସିଂ ଅଭିଯୋଗ କରିଥିଲେ ଯେ, ତିନୋଟି ଚ୍ୟାନେଲ ଟିଆରପିରେ ଟ୍ୟାମ୍ପରିଂ କରୁଛନ୍ତି ।