ଅଗରତାଲାରେ ଓଡିଆ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ ଘଟଣା: ତ୍ରିପୁରା ମୁଖ୍ୟମନ୍ତ୍ରୀ ଟୁଇଟ ଜରିଆରେ ଦେଲେ ସୁରକ୍ଷା ପ୍ରତିଶୃତି
27/09/2018 at 5:52 PM

ଭୁବନେଶ୍ବର୨୭|୯: ନ୍ୟୁଜ7ରେ ଖବର ପ୍ରସାରଣ ପରେ ଅଗରତାଲାରେ ଓଡ଼ିଆ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି । ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପଦକ୍ଷେପ ଗ୍ରହଣ କରିଥିବା ବେଳେ ତ୍ରିପୁରା ଡିଜିଙ୍କ ସହିତ ଆଲୋଚନା କରିଛନ୍ତି ଓଡ଼ିଶା ଡିଜି। ସେପଟେ ପିଲାମାନଙ୍କ ମନରେ ଆଶା ସଞ୍ଚାର ହୋଇଛି । ନ୍ୟୁଜ ସେଭେନକୁ ଧନ୍ୟବାଦ ଦେଇଛନ୍ତି ପିଲାମାନେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ତ୍ରିପୁରା ଡିଜିଙ୍କ ସହିତ ଆଲୋଚନା କଲେ ଓଡ଼ିଶା ଡିଜି। ରାଜ୍ୟ ସରକାରଙ୍କ ପଦକ୍ଷେପ ବାବଦରେ ଟ୍ବିଟ କରିଛନ୍ତି ଓଡ଼ିଶା ଡିଜି ଆରପି ଶର୍ମା ଓ ଉଚ୍ଚ ଶିକ୍ଷା ସଚିବ। ନ୍ୟୁଜ ସେଭନ ଠାରୁ ଛାତ୍ରଛାତ୍ରୀଙ୍କ ଭିଡିଓ ସଂଗ୍ରହ କରିଥିଲା ଉଚ୍ଚ ଶିକ୍ଷା ବିଭାଗ। ତୁରନ୍ତ ଛାତ୍ରଛାତ୍ରୀଙ୍କ ସହାୟତା ପାଇଁ ନିଆଯାଇଥିଲା ପଦକ୍ଷେପ। ଘଟଣାର ଅନୁଧ୍ୟାନ ପାଇଁ ଏକ ଉଚ୍ଚ ସ୍ତରୀୟ ଟିମ୍ ଗଠନ ହୋଇଛି । ଏହି କମିଟିରେ ଅଛନ୍ତି ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ରାଧା ମାଧବ ଦାସ ଏବଂ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ ବି. ପରମେଶ୍ବରନ୍ । ସମସ୍ୟାର ସମାଧାନ କରିବାକୁ ଏହି ଟିମ୍ ଅଗରତାଲା ଯିବ ।
ଘଟଣା ଥିଲା କିଛି ଏମିତି। ତ୍ରିପୁରା ଅଗରତାଲାରେ ଥିବା ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନରେ ପଢୁଥିବା ଶତାଧିକ ଓଡ଼ିଆ ଛାତ୍ରଛାତ୍ରୀ ନ୍ୟୁଜ ସଭେନକୁ ଏକ ଭିଡିଓ ପଠାଇଥିଲେ। ଯେଉଁଥିରେ ସେମାନଙ୍କୁ ସେଠାରେ କେମିତି ସ୍ତାନୀୟ ଛାତ୍ରମାନେ ନିର୍ଯାତନା ଦେଉଛନ୍ତି ତାହା ଦର୍ଶାଯାଇଥିଲା । ସ୍ଥାନୀୟ ଯୁବକମାନେ ଓଡିଆ ଛାତ୍ରୀଙ୍କୁ ଗୋଡାଇ ଗୋଡାଇ ପିଟିଛନ୍ତି । ପୋଲିସ ଉପସ୍ଥିତିରେ ରୁମ୍ ରେ ଭର୍ତ୍ତି କରି ଓଡ଼ିଆ ପିଲାଙ୍କୁ ସ୍ଥାନୀୟ ଯୁବକ ମାଡ଼ ମାରିଥିବା ଅଭିଯୋଗ କରିଥିଲେ । କାନ୍ଦିକାନ୍ଦି ଘଟଣା ସଂପର୍କରେ ଜଣାଇଥିଲେ ଛାତ୍ରଛାତ୍ରୀ । ଆଉ ଆଜି ଏନେଇ ପଦକ୍ଷେପ ଗ୍ରହଣ କରାଯାଉଥିବାରୁ ଛାତ୍ରଛାତ୍ରୀମାନେ ବେଶ ଆଶ୍ବସ୍ତ ଅନୁଭବ କରିଛନ୍ତି। ନ୍ୟୁଜ ସେଭେନକୁ ଧନ୍ୟବାଦ ଜଣାଇଛନ୍ତି।
ସେପଟେ ଏହି ଘଟଣା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି ଘଟଣା ନେଇ ତ୍ରିପୁରା ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଟ୍ବିଟ କରି ଯେଉଁଥିରେ ପ୍ରତିଶ୍ରୁତି ଦେଇଛନ୍ତି ତ୍ରିପୁରାରେ ପାଠ ପଢୁଥିବା ସମସ୍ତ ରାଜ୍ୟର ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦିଆଯିବ।