ଟ୍ରିପିଲ୍‌ ତଲାକ୍‌ ବିଲ୍‌ ନେଇ ଲୋକସଭାରେ ହଙ୍ଗାମା : ମୁସଲିମ୍ ପୁରୁଷଙ୍କ ପାଇଁ ୩ବର୍ଷ ଦଣ୍ଡବିଧାନ ଥିବାବେଳେ ଅନ୍ୟ ସଂପ୍ରଦାୟର ପୁରୁଷଙ୍କ ପାଇଁ କାହିଁକି ବର୍ଷେ ବୋଲି ପ୍ରଶ୍ନ କରିଛନ୍ତି ଓୱେସୀ

Published By : Prameya-News7 Bureau | June 21, 2019 IST

ନୂଆଦିଲ୍ଲୀ ୨୧/୬ : ଲୋକସଭାରେ ଆଗତ ହୋଇଛି ଟ୍ରିପଲ ତଲାକ ବିଲ୍ । କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ତିନି ତଲାକ ବିଲକୁ ଲୋକସଭାରେ ଉପସ୍ଥାପନ କରିଛନ୍ତି । ବିଲକୁ କଂଗ୍ରେସ ସହ AIMIM ବିରୋଧ କରିଛନ୍ତି । ବିଜେଡି ମତଦାନରୁ ବିରତ ରହିଛି ।  ପୂର୍ବର ଏନଡିଏ ସରକାର ସମୟରେ ଏହି ବିଲ୍‌ ଲୋକସଭାରେ ପାସ୍‌ ହୋଇ ରାଜ୍ୟ ସଭାରେ ଉପସ୍ଥାପିତ ହୋନଥିଲା । ନୂଆ ସରକାର ଆସିଥିବାରୁ ପୁଣି ଥରେ ଏହି ବିଲ୍‌କୁ ଲୋକସଭାରେ ଉପସ୍ଥାପନ କରାଯିବ କି ନାହିଁ ସେନେଇ ଆଜି ଗୃହରେ ଆଲୋଚନା ହୋଇଥିଲା ।

{"id":125506}

ପୁଣି ଟ୍ରିପିଲ୍‌ ତଲାକ୍‌ ବିଲ୍‌ ଲୋକସଭାରେ ଉପସ୍ଥାପିତ ।  ପ୍ରଥମେ ଏହି ବିଲ୍‌ ଲୋକସଭାରେ ଉପସ୍ଥାପିତ ହେବ କି ନାହିଁ ସେନେଇ ଗୃହରେ ଭୋଟିଂ କରାଯାଇଥିଲା । ଯାହାକୁ ସମର୍ଥନ କରିଥିଲେ ୧୫୬ ସଦସ୍ୟ, ବିରୋଧ କରିଥିଲେ ୭୪ ଜଣ । ଏହାପରେ ଗୃହରେ ବିଲ୍‌ ଉପସ୍ଥାପନ କରିବା ଲାଗି ବାଚସ୍ପତି ଓମ ବିର୍ଲ୍ଲା ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ଅନୁମତି ଦେଇଥିଲେ । (ଗୃହ ଭିତରର ଆମ୍ବିଆନ୍‌ସ) ଏହା ମହିଳାମାନଙ୍କ ଅଧିକାରର ପ୍ରଶ୍ନ । ଏହା ମହିଳାମାନଙ୍କୁ ସଶକ୍ତ କରିବ, ଏହି ବିଲ୍‌ ପାଇଁ ହିଁ ଆମେ ନିର୍ବାଚିତ ହୋଇଛୁ ବୋଲି ରବିଶଙ୍କର ପ୍ରସାଦ ଯୁକ୍ତି ରଖିଥିଲେ ।

{"id":125507}

ଏହି ବିବାଦୀୟ ବିଲ୍ ନେଇ ଲୋକସଭାରେ ହଙ୍ଗାମା ହୋଇଛି । ବିଲ୍‌କୁ ଗୃହରେ କଂଗ୍ରେସ ଏବଂ ଏଆଇଏମଆଇଏମ ସିଧା ବିରୋଧ କରିଥିଲେ ।  ଏହା ସଂବିଧାନର ଧାରା ୧୪ ଓ ୧୫କୁ ବିରୋଧ କରୁଛି ବୋଲି ଦର୍ଶାଇଥିଲେ । ମୁସଲିମ୍ ପୁରୁଷଙ୍କ ପାଇଁ ୩ବର୍ଷ ଜେଲ ଦଣ୍ଡବିଧାନ ଥିବା ବେଳେ ଅନ୍ୟ ସଂପ୍ରଦାୟର ପୁରୁଷଙ୍କ ପାଇଁ କାହିଁକି ୧ବର୍ଷ ଦଣ୍ଡବିଧାନ ରହିଛି ବୋଲି ଓୱେସୀ ପ୍ରଶ୍ନ କରିଛନ୍ତି ।

{"id":125509}

ସେହିପରି  ସ୍ବାମୀ ଜେଲରେ ରହିଲେ ପତ୍ନୀଙ୍କ ଭରଣପୋଷଣ କିଏ ବହନ କରିବ ବୋଲି ଓୱେସୀ ପ୍ରଶ୍ନ କରିଛନ୍ତି । ସେପଟେ ସମାଜବାଦୀ ପାର୍ଟି ନେତା ଆଜମ ଖାନ କହିଛନ୍ତି କୋରାନ ନିୟମାବଳୀକୁ ଦୃଷ୍ଟିରେ ରଖି ତାଙ୍କ ଦଳ ନିଷ୍ପତ୍ତି ନେଇଛି । ବିଜେଡି ଏହି ମତଦାନରୁ ଦୂରେଇ ରହିଥିଲା ।

{"id":125508}

ଷୋଡ଼ଶ ଲୋକସଭାର କାର୍ଯ୍ୟକାଳ ଶେଷ ହୋଇଥିବାରୁ ରାଜ୍ୟସଭାରେ ଅଟକି ରହିଥିବା ତିନି ତଲାକ ବିଲ୍ ନିଷ୍ପ୍ରଭ ହୋଇ ଯାଇଥିଲା । କାରଣ ଲୋକସଭାରୁ ପାରିତ ହୋଇ ରାଜ୍ୟସଭାରେ କୌଣସି ବିଲ୍ ଆଗତ ହୋଇ ନ ହୋଇଥିବା ବେଳେ ଯଦି ଲୋକସଭା ଭଙ୍ଗ ହୁଏ ତେବେ ସଂପୃକ୍ତ ବିଲ୍‌ ନିଷ୍ପଭ୍ର ହୋଇଯାଏ । ସେଥିପାଇଁ ଆଇନ ମନ୍ତ୍ରୀ ପୁଣି ଥରେ ବିଲ୍ ଆଗତ କରିଛନ୍ତି ।

{"id":125510}

ଲୋକସଭାରେ ସିନା ପାସ୍‌ ହୋଇଯିବ କିନ୍ତୁ ରାଜ୍ୟ ସଭାରେ ହିଁ ସରକାରଙ୍କୁ ଏହି ବିଲ୍‌ ପାସ୍‌ କରାଇବା ପାଇଁ ଅସଲ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିବ । କାରଣ ସେଠାରେ ସରକାରଙ୍କ ବହୁମତ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.