ସତ୍ୟବାଦୀରେ ଟ୍ରିପଲ ମର୍ଡର : ଗୋଟିଏ ପରିବାରର ୩ଜଣଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ

Published By : Prameya-News7 Bureau | July 14, 2019 IST

ଡେଲାଙ୍ଗ ୧୪|୭: ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ପଟ୍ଟନାୟକିଆରେ ଟ୍ରିପଲ ମର୍ଡର ହୋଇଛି । ଗୋଟିଏ ପରିବାରର ୩ଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ଘଟଣାସ୍ଥଳରେ ସତ୍ୟବାଦୀ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।ଅପରପକ୍ଷରେ ଏହି ହତ୍ୟାକାଣ୍ଡ ପ୍ରତିବାଦରେ ପଟ୍ଟନାୟିକିଆ ଛକରେ ରାସ୍ତାରୋକ ସାଙ୍ଗକୁ ପୋଡାଜଳା ଆରମ୍ଭ ହୋଇଛି । କେତେକ ଉଠାଦୋକାନରେ ଲୋକେ ନିଆଁ ଲଗାଇଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ପଟ୍ଟନାୟକିଆ ଛକରେ ଗୋଟିଏ ପରିବାରର ୩ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ପଟ୍ଟନାୟକିଆ ଛକରେ ଥିବା ପୋଲିସ ଆଉଟପୋଷ୍ଟ ନିକଟରେ ବିଚ୍ ବଜାର ଉପରେ ୩ ଜଣଙ୍କୁ ଗୋଡାଇ ଗୋଡାଇ ହାଣି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ପ୍ରାୟ ସନ୍ଧ୍ୟା ୬ଟା ସମୟରେ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କେହି ସେମାନଙ୍କୁ ହତ୍ୟା କରିଥିବା କୁହାଯାଉଛି । ମୃତକ ହେଲେ ପୂର୍ଣ୍ଣଚନ୍ଦ୍ର ବେହେରା, କୃଷ୍ଣଚନ୍ଦ୍ର ବେହେରା ଏବଂ ପର୍ଶୁ ବେହେରା ।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣାକୁ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି । ଉତ୍ତ୍ୟକ୍ତଲୋକମାନେ ପୁରୀ-ପଟ୍ଟନାୟକିଆ ରାସ୍ତାକୁ ଅବରୋଧ ମଧ୍ୟ କରିଛନ୍ତି ।

ଆଜି ପୁରୀରେ ଶ୍ରୀଜିଉମାନଙ୍କର ଅଧରପଣା ନୀତି ଅନୁଷ୍ଠିତ ହେଉଥିବାରୁ ପୁରୀକୁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେଉଛି । ଭୁବନେଶ୍ବର-ପୁରୀ ରାସ୍ତାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି । ଏସବୁ ସତ୍ତ୍ବେ ପଟନାୟକିଆ ଛକରେ ଏଭଳି ଜଘନ୍ୟ କାଣ୍ଡ କିଭଳି ଘଟିଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଅନ୍ୟ ପକ୍ଷରେ ଘଟଣାସ୍ଥଳରେ ଉତ୍ତେଜନା ଓ ରାସ୍ତାରୋକ ଚାଲିଥିବାରୁ ପୁରୀକୁ ଅଧରପଣା ଦେଖିବାକୁ ଯାଉଥିବା ଭକ୍ତମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ରାସ୍ତାର ଉଭୟ ପଟେ ଶହ ଶହ ଗାଡି ଅଟକି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.